ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ଉଡ଼ାଣ ସମୟରେ କ୍ୟାବିନ୍ ହୋଇଗଲା ଧୂଆଁଧୂଆଁ
ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରଟି ଲକ୍ଷ୍ନୌର ଲା ମାର୍ଟ ଗ୍ରାଉଣ୍ଡରୁ କୌଶାମ୍ବୀ ଅଭିମୁଖେ ଉଡ଼ାଣ ଭରୁଥିଲା। ଅବତରଣ କରିବା ସମୟରେ ସମ୍ପୂର୍ଣ୍ଣ ହେଲିକପ୍ଟର ଧୂଆଁରେ ପୂର୍ଣ୍ଣ ହୋଇଯାଇଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା।ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସହିତ ଜଡିତ ଏହି ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ପ୍ରଶାସନ ଏବଂ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ହେଲିକପ୍ଟର ତ୍ରୁଟିର ତଦନ୍ତ ପାଇଁ ଏକ ବୈଷୟିକ ଦଳ କାର୍ଯ୍ୟ କରୁଛି।
ଜରୁରୀକାଳୀନ ଅବତରଣ ସମୟରେ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲିକପ୍ଟର ଅବତରଣ କରିବା ମାତ୍ରେ ସୁରକ୍ଷା ଏବଂ ବୈଷୟିକ ଦଳ ତୁରନ୍ତ ଏହାକୁ ଘେରି ଯାଇଥିଲେ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା।