କଳାଶିମିଳି ଗ୍ରାମରେ ଲିଙ୍ଗରାଜ ମନ୍ଦିର ରତ୍ନମୁଦ ଉତ୍ସବ
ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଅନ୍ତର୍ଗତ କରଡ଼ାପଡ଼ା ପଂଚାୟତର କଳାଶିମିଳି ଗ୍ରାମରେ ଅବସ୍ଥିତ ପୁରାତନ ବାବା ଲିଙ୍ଗରାଜ ଦେବଙ୍କ ନୂତନ ମନ୍ଦିର ରତ୍ନମୁଦ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ମୌଜାର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଠାକୁରଙ୍କ ରତ୍ନମୁଦ ଉତ୍ସବରେ ସହଯୋଗ କରିଥିଲେ । ଏହି ଅବସରରେ ମନ୍ଦିର ପରିସରରରେ ହୋମଯଜ୍ଞ କରାଯାଇ ସମଗ୍ର ମନ୍ଦିର ପରିବେଶକୁ ଶୌଦ୍ଧ କରାଯାଇଥିଲା । ଜୟକୃଷ୍ଣ ବାରିକ ଓ ତାଙ୍କ ଧର୍ମପତ୍ନୀ ପପିନା ବାରିକ କର୍ତା ଓ କର୍ତୀଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପଣ୍ଡିତ ବିଶେଶ୍ୱର ମିଶ୍ର ଓ ମନ୍ଦିର କାରିଗରଭାବେ ତୋଫାନ ବେହେରା ଉପସ୍ଥିତ ରହି ଯଥାବିଧି କାର୍ଯ୍ୟ ସମ୍ପାଦନ କରିଥିଲେ ।

ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତନ ଆଦି ଆଧ୍ୟାତ୍ମିକ କାର୍ଯ୍ୟ ପରିବେଷଣ କରାଯାଇଥିଲା । ଏଥିରେ ରାଜମିସ୍ତ୍ରୀ ତୋଫାନ ବେହେରା ମନ୍ଦିର ଚୁଡ଼ାରେ ବାବା ଲିଙ୍ଗରାଜଙ୍କ ଆଜ୍ଞାମାଳ ସ୍ଥାପନ କରିବା ପରେ ମନ୍ଦିର ରତ୍ନମୁଦ କାର୍ଯ୍ୟ ଯଥାରୀତି ସଂପର୍ଣ୍ଣ ହୋଇଥିଲା । ଏହି ଉସବକୁ ସୁଚାରୁ ରୂପେ ପରିଚାଳନା କରିବା ଦିଗରେ ଗ୍ରାମର ଶେଷଦେବ ରାଉତ, ରବୀନ୍ଦ୍ର ବେହେରା, ପ୍ରଭାତ ବାରିକ, ଅନନ୍ଦ ପ୍ରଧାନ, ଓ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସମେତ ଅନେକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।