କେନ୍ଦୁଝର କଙ୍କାଳ ନେବା ଘଟଣାର RDC ସ୍ତରୀୟ ତଦନ୍ତ ଆରମ୍ଭ
କେନ୍ଦୁଝର ପାଟଣାରେ ଟଙ୍କା ପାଇଁ ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଆଜିଠୁ ଆରମ୍ଭ ହୋଇଛି ଉତ୍ତରାଞ୍ଚଳ RDC ତଦନ୍ତ । ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରି ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତଙ୍କ ଗାଁକୁ ଗସ୍ତ କରି ତଥ୍ୟ ସଂଗ୍ରହ କରିବେ ଆରଡ଼ିସି । ସେହିପରି ସେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଅଧିକାରୀ ମାନଙ୍କୁ ସାଧାରଣ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଛି । ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରା ଯାଇଛି । ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇଛି। ଏହା ସହିତ ବ୍ୟାଙ୍କରୁ ତାଙ୍କ ପ୍ରାପ୍ୟ ଟଙ୍କା ମଧ୍ୟ ଦିଆଯାଇଛି ତେବେ, ଏଭଳି ଘଟଣା କାହିଁକି ଘଟିଲା ଏବଂ ଏହାର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ଗତ ସୋମବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ବଡ଼ ଭଉଣୀ କାଲାରା ମୁଣ୍ଡା(50 ବର୍ଷ)ଙ୍କ କଙ୍କାଳ ଆଣି ରଖିଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ସେପଟେ ବ୍ୟାଙ୍କ ଆସି ପହଞ୍ଚିଥିଲା ଜିତୁ ମୁଣ୍ଡାଙ୍କ ଦୁଆରେ ତାଙ୍କ ପ୍ରାପ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା ।