ପାଳ ଗଦା ନିଆଁରେ ପୋଡି ହୋଇ ମହିଳା ଜୀବନ୍ତ ଦଗ୍ଧ ! ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ପାରାଦ୍ଵୀପ ଲକ୍ ଥାନା ଅଧୀନ ପିପ୍ପଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାଳଗଦାରେ ନିଆଁ ଲାଗି ଘର ସହିତ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ମୃତ ବରଣ କରିଥିବା ସୂଚନା ମିଳିଛି । ମୃତକ ମହିଳା ହେଲେ ରିନି କୁମାରୀ ଦଳାଇ । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ , ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସେପଟେ ମହିଳାଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ, ରିନା ଦେଢ ବର୍ଷ ତଳେ ପିପ୍ପଳ ଗାଁର ସ୍ମୃତି ରଞ୍ଜନ ସ୍ୱାଇଁଙ୍କୁ ବାହା ହୋଇଥିଲେ । ଆଜି ସକାଳୁ ସ୍ୱାମୀ ସ୍ମୃତି ରଞ୍ଜନ କାମ କରିବା ପାଇଁ ଘରୁ ବାହାରକୁ ଯାଇଥିବା ସମୟରେ ଶ୍ୱଶୁର ରୋଗାଗ୍ରସ୍ତ ଅବସ୍ଥାରେ ଘରେ ପଡି ରହିଥିଲେ । ଶାଶୁ କଟକ ବଡ ମେଡିକାଲକୁ ଯାଇଥିଲେ । ସେହି ସମୟରେ ଏକ ଛୋଟ ଚାଳଘର ପାଖରେ ଥିବା ପାଳଗଦାରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ରିନା ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଛି , ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ।