ଅଭିଷେକ ବାନାର୍ଜୀଙ୍କୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକେ, ହେଲମେଟ୍‌ ପିନ୍ଧି ଦୌଡ଼ିଲେ ଟିଏମସି ସାଂସଦ

ପଶ୍ଚିମବଙ୍ଗର ସୋନାରପୁରରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ । ନିର୍ବାଚନୀ ହିଂସାରେ ପୀଡ଼ିତଙ୍କୁ ଭେଟିବାକୁ ଯାଇଥିଲେ, ହେଲେ ନିଜେ ହିଂସାର ଶିକାର ହେଲେ । ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ହେଲା ଅଣ୍ଡାମାଡ଼ । ହଠାତ୍ ମାଡ଼ି ଆସିଲା ଭିଡ଼ । ଆଉ ଚିରିଦେଲା ଦେହର ବସ୍ତ୍ର । ଶେଷରେ ହେଲମେଟ୍ ପିନ୍ଧି ସୁରକ୍ଷାକର୍ମୀଙ୍କ ଘେର ଭିତରେ ବାହାରିଲେ ଦିଦିଙ୍କ ଲାଡଲା । ଯେତେବେଳେ ପଶ୍ଚିମବଙ୍ଗରେ ମମତା ସରକାର ଥିଲା, ସେତେବେଳେ କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି ନେତା ସମସ୍ତଙ୍କ ଉପରେ ଆକ୍ରମଣ କରୁଥିଲେ ଟିଏମସି ଗୁଣ୍ଡା । ଏବେ ଶେଷରେ ଟିଏମସି ନେତା ଜନ ଆକ୍ରୋଶର ଶିକାର ହୋଇଛନ୍ତି ।ଏହି ସଂଘର୍ଷ ଏବଂ ଆକ୍ରମଣ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେଇ ସାଂସଦ ଅଭିଷେକ ବାନାର୍ଜୀ ଏଥିପାଇଁ ଭାରତୀୟ ଜନତା ପାର୍ଟି (BJP)କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଏହି ସମସ୍ତ ଆକ୍ରମଣ ବିଜେପି ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଇଛି। ବିଜେପି କେଉଁଭଳି ଗଣତନ୍ତ୍ରରେ ବିଶ୍ୱାସ କରେ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ସେମାନେ କେବଳ ହିଂସା ସୃଷ୍ଟି କରିବା ଜାଣନ୍ତି।ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ଟିଏମ୍‌ସି ସାଂସଦଙ୍କ ସହିତ ମୁହାଁମୁହିଁ ହୋଇଥିଲେ।ସ୍ଥାନୀୟ ଲୋକେ କହିଛନ୍ତି ଯେ ସେମାନେ ଦିନ ମଜୁରିଆ ଲୋକ । ସେମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ । ସେହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡିଏ ନାହିଁ । ରାସ୍ତା ନିର୍ମାଣ ବାବଦକୁ ଯେତେ ଅର୍ଥ ଆସିଛି, ସବୁକୁ ଆତ୍ମସାତ କରିଛନ୍ତି ଠିକାଦାର । ସେମାନେ ଆଜି ବି ଚିନ୍ତିତ ଓ କ୍ରୋଧିତ । ପୂର୍ବ ସରକାରରେ ସେମାନଙ୍କୁ ମୌଳିକ ସୁବିଧା ମିଳିନଥିବାରୁ ଏପରି ବିରୋଧ ପ୍ରଦର୍ଶନ କରିଥିବା କହିଛନ୍ତି ।