ସରକାରଙ୍କୁ ୧୦ ଦିନର ଅଲଟିମେଟମ: ଘରୋଇ ବସ ସଂଘ

ବସ୍ ଭଡା ନବଢିଲେ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଚେତାବନୀ । ଡିଜେଲ ସହ ବସ୍ ବ୍ୟବସାୟରେ ଆନୁସଙ୍ଗୀକ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି । ଏହାସହ ବୀମା ଓ ଟିକସ ମଧ୍ୟ ବଢିଛି । ଏଭଳି ପରିସ୍ଥିତିରେ ସର୍ବନିମ୍ନ ବସ୍ ଭଡା ବୃଦ୍ଧି ନହେଲେ ଯାତ୍ରୀ ପରିବହନ ବ୍ୟବସାୟ କରିବା ଅସମ୍ଭବ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ତେବେ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ଆଜି ସଂଘର କାର୍ଯ୍ୟକାରୀ କମଟି ବୈଠକ ଅନୁଷ୍ଠିତ ବସିଥିଲା । ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।ଏହାସହ ବସ୍ ଚେସିସ୍, ଟାୟାର, ଲୁବ୍ରିକାଣ୍ଟ ଦର ସହ ବୀମା ଓ ଟିକସ୍ ମଧ୍ୟ ଗତ ୧୦ ବର୍ଷ ଭିତରେ ବହୁ ମାତ୍ରାରେ ବଢିଛି । ମାତ୍ର ଗତ ୧୦ ବର୍ଷ ହେବ ଅଟୋମେଟିକ ମେକାନିଜିମରେ ସେ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ । ତେଣୁ ଡିଜେଲ ଦର ବୃଦ୍ଧି ସହ ଯାତ୍ରୀ ପରିବହନରେ ଆନୁସଙ୍ଗୀକ ଜିନିଷର ଦର ବୃଦ୍ଧିକୁ ନେଇ ବସ୍ ଭଡା ବଢାଇବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି । ସରକାର ୧୦ଦିନ ଭିତରେ କିଛି ନିଷ୍ପତ୍ତି ନନେଲେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ମାଲିକ ସଂଘ ବାଧ୍ୟ ହେଵ ଵୋଲି କହିଛି। ସରକାର ଦାବି ନଶୁଣିଲେ ଜୁନ୍ ୧୦ପରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ବସ୍ ମାଲିକ ସଂଘର ନିଷ୍ପତ୍ତି। କଟକରେ ଆୟୋଜିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଏହି ଭଳି ନିଷ୍ପତ୍ତି ନିଆଯାଇଛି।