ଆଜିଠୁ ଓଡ଼ିଶାରେ ବଢ଼ିବ ବର୍ଷା, କାଲି ସୃଷ୍ଟି ହୋଇପାରେ ଲଘୁଚାପ !

ଆଜି ଆଣ୍ଡାମାନ ସାଗରରେ ପହଞ୍ଚିବ ଘୂର୍ଣ୍ଣିବଳୟ । ଓଡ଼ିଶାରେ ପୁଣି ବଢ଼ିବ ବର୍ଷା । ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚିଥିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ଅଧିକ ସକ୍ରିୟ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ତେବେ ଏହା ପ୍ରଭାବରେ ୨୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ଓ ଏନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ। ଅନ୍ୟପଟେ ଏହି ପାଣିପାଗ ବ୍ୟବସ୍ଥାକୁ ନେଇ ବାତ୍ୟା ସମ୍ପର୍କିତ ଚର୍ଚ୍ଚା ମଧ୍ୟ ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା IMD କୌଣସି ବାତ୍ୟା ପୂର୍ବାନୁମାନ କରିନାହିଁ । ଏବେ କେବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ବାତ୍ୟାକୁ ନେଇ ଏବେଠାରୁ ଆତଙ୍କିତ ନହୋଇ IMDର ସରକାରୀ ସୂଚନା ଉପରେ ନଜର ରଖିବା ଜରୁରୀ । ପାଣିପାଗ ବିଭାଗ ମଧ୍ୟ ଏହି ବ୍ୟବସ୍ଥାର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ।