ଆଠଗଡ଼ ମିଡିଆ ହାଉସ ପକ୍ଷରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା।

ଆଠଗଡ : ( ମାନସ ରଞ୍ଜନ ସାହୁ) ଆଠଗଡ଼ର ଅଗ୍ରଣୀ ସାମ୍ବାଦିକ ସଙ୍ଘ ମିଡିଆ ହାଉସ ପକ୍ଷରୁ ନୂତନ ଉପଜିଲ୍ଲାପାଳ ଅନିମେଷ ପ୍ରଧାନଙ୍କ ସହିତ ସାକ୍ଷାତ ହେବା ସହିତ ଆଠଗଡର କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ଆଲୋଚନା କରାଯାଉଛି । ମିଡିଆ ହାଉସର ସଭାପତି ବରିଷ୍ଠ ଖବରଦାତା ସଚ୍ଚିଦାନନ୍ଦ ପଣ୍ଡା ଆଠଗଡ଼ ତଥା ଓଡ଼ିଶାର ଗର୍ବ ଓ ଗୌରବ ବାବା ଧବଳେଶ୍ୱରଙ୍କ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ନାଲିଫିତା ତଳେ ଚାପିହୋଇ ରହିଥିବା ଫାଇଲକୁ କାର୍ଯ୍ୟକାରୀ କରିବାକୁ ନିବେଦନ କରିଥିଲେ । ବରିଷ୍ଟ ସଦସ୍ୟ ସାମ୍ବାଦିକ ବିଜୟ ଜୁମାର ନାୟକ ଭୁବନେଶ୍ୱରରୁ ମୁଣ୍ଡଳୀ ଭାୟା ଆଠଗଡ଼ ଦେଇ ଯାଉଥିବା ସମସ୍ତ ଯାତ୍ରୀବାହୀ ବସ ଗୁଡିକ ବୀରକିଶୋରପୁର ଛକ ଠାରେ ନରହି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଠଗଡ଼ ବସ ଷ୍ଟାଣ୍ଡ ଭିତରକୁ ପ୍ରବେଶ କରି ଯାତ୍ରୀଙ୍କୁ ନେବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ସେହିପରି ସମ୍ପାଦକ ଦିଲ୍ଲୀପ କୁମାର ଦାସ ଆଠଗଡ଼ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଡାକ୍ତର ଅଭାବ ସାଙ୍ଗକୁ ବିଶେଷ ଭାବେ ଡାକ୍ତରଙ୍କ ଅନୁପସ୍ଥିତି ହେଉଥିବାରୁ ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ଼ ବ୍ଲକର ହଜାର ହଜାର ରୋଗୀ ନାହିଁ ନଥିବା ହିନସ୍ତା ହେଉଥିବାରୁ ଏହାର ପ୍ରତିକାର କରିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଏହି ସମସ୍ତ ଦାବିଗୁଡିକ ଉପଜିଲ୍ଲାପାଳ ଅନିମେଷ ପ୍ରଧାନ ନିଜ ଲ୍ୟାପଟପରେ ରେକର୍ଡ କରି ରଖିବା ସହିତ ଏ ଦିଗରେ ଆପଣମାନେ ଓ ଜନସାଧାରଣଙ୍କ ସହଯୋଗ ମିଳିଲେ ନିଶ୍ଚିନ୍ତ କାର୍ଯ୍ୟକାରୀ କରିବାକୁ ସେ ପ୍ରଥମେ ପଦକ୍ଷେପ ନେବେ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ମିଡିଆ ହାଉସ ପକ୍ଷରୁ ଉପଜିଲ୍ଲାପାଳ ପ୍ରଧାନଙ୍କୁ ଉତ୍ତରୀୟ ଓ ଶ୍ରୀରାମଙ୍କ ଏକ ଫଟୋ ଚିତ୍ର ଅର୍ପଣ କରାଯାଇଥିଲା । ଏହି ସାକ୍ଷାତ ବେଳେ ମିଡ଼ିଆ ହାଉସର ଉପସଭାପତି ସ୍ୱରାଜ ପଣ୍ଡା, ସହ ସମ୍ପାଦକ ମାନସ ରଞ୍ଜନ ସାହୁ,ଶୈଳେନ୍ଦ୍ର ପଟ୍ଟନାୟକ, ମହେଶ୍ୱର ବେହେରା, ରଞ୍ଜିତ ରାଉତ, ପରମାନନ୍ଦ ମୁଦୁଲି, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।