ଆଜି ଆସିବ ପିଏମ୍ କିଷାନର ୨୩ କିସ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର, ୨୦ ଜୁନ) ପଶ୍ଚିମବଙ୍ଗର ହୁଗୁଳି ଜିଲା ଅନ୍ତର୍ଗତ ତାରକେଶ୍ୱରଠାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ଜାରି କରିବେ। ଡିବିଟି (Direct Benefit Transfer) ମାଧ୍ୟମରେ ଦେଶର ୯.୪୪ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧୮,୮୮୦ କୋଟି ଟଙ୍କା ପଠାଯିବ। ଏହି କିସ୍ତି ଅନୁଯାୟୀ ପ୍ରତ୍ୟେକ ଚାଷୀଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୂଚନା ଅନୁଯାୟୀ, କେବଳ ପଶ୍ଚିମବଙ୍ଗର ୪୫.୩୫ ଲକ୍ଷରୁ ଅଧିକ କୃଷକ ଏହି କିସ୍ତି ଦ୍ୱାରା ପ୍ରାୟ ୯୦୭ କୋଟି ଟଙ୍କା ପାଇବେ। କୃଷି କ୍ଷେତ୍ରକୁ ଆଧୁନିକ କରିବା ପାଇଁ ପ୍ରଧାନମନ୍ତ୍ରୀ ଡିଜିଟାଲ କୃଷି ମିଶନ ଅଧୀନରେ ଏକ ନୂତନ ଏଗ୍ରି-ଟେକ୍ ପ୍ଲାଟଫର୍ମ ଲଞ୍ଚ କରିବେ। ଏହାଦ୍ୱାରା ଚାଷୀମାନେ ସାର ବଣ୍ଟନ, କିଷାନ କ୍ରେଡିଟ କାର୍ଡ (KCC), ଡିବିଟି ସେବା ଏବଂ ଏମ୍ଏସ୍ପି (MSP)ରେ ସରକାରୀ ସଂଗ୍ରହ ଭଳି ସୁବିଧା ଗୋଟିଏ ସ୍ଥାନରେ ପାଇପାରିବେ। ଏହା ସହିତ ରାଷ୍ଟ୍ରୀୟ ପ୍ରାକୃତିକ ଚାଷ ମିଶନର ମଧ୍ୟ ଆରମ୍ଭ କରାଯିବ, ଯାହା ଅଧୀନରେ ଚାଷୀଙ୍କୁ ଜୈବିକ ସାର, ପ୍ରଶିକ୍ଷଣ ଓ ବଜାର ସଂଯୋଗୀକରଣ ଯୋଗାଇ ଦିଆଯିବ।