ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଆଜି ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଜନ୍ମଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 1958 ମସିହା ଜୁନ 20 ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଉପରବେଢ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଜିର ମହାମହିମ ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା ଏବଂ ଶୁଭକାମନା ବାର୍ତ୍ତା। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଏଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି,”ଓଡ଼ିଶା ମାଟିର ଅନନ୍ୟ ଗୌରବ, ସମଗ୍ର ରାଷ୍ଟ୍ରର ପ୍ରେରଣା ଓ ଅଦମ୍ୟ ସଂକଳ୍ପର ପ୍ରତୀକ, ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆପଣଙ୍କର ଐତିହାସିକ ଜୀବନ ଯାତ୍ରା ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଆମ ମାତୃଶକ୍ତିର ସର୍ବଶ୍ରେଷ୍ଠ ବିଜୟ । ସମସ୍ତ ସଂଘର୍ଷ ଓ ପ୍ରତିକୂଳତାକୁ ପରାହତ କରି ଆପଣ ଯେଉଁ ସୁଦୃଢ଼ ନେତୃତ୍ୱ ଓ ମର୍ଯ୍ୟାଦାର ସହ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିଛନ୍ତି, ତାହା କୋଟି କୋଟି ଭାରତୀୟଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଜାଗ୍ରତ କରିଛି । ଆପଣଙ୍କର ସେହି ସହଜ ସରଳତା, ସ୍ନେହପୂର୍ଣ୍ଣ ବ୍ୟକ୍ତିତ୍ୱ ଏବଂ ମାଟି ପ୍ରତି ଥିବା ନିବିଡ଼ ଆତ୍ମୀୟତା ପ୍ରତିଟି ଓଡ଼ିଆଙ୍କ ପାଇଁ ସଦାସର୍ବଦା ଏକ ଶ୍ରେଷ୍ଠ ଆଦର୍ଶ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରୁଛି ।”