ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଜନ୍ମମାଟିରେ ଜନ୍ମଦିନ ପାଳନ କରିବେ ରାଷ୍ଟ୍ରପତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଇରଙ୍ଗପୁର ଗସ୍ତରେ ଆସିବେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ରହିବେ। ପୂର୍ବାହ୍ନ ୧୧ଟା୧୫ ସମୟରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ। ଏହା ପରେ ଉଭୟ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନ ୧ଟାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ବିକାଶର ଧାରା, ଓଡ଼ିଶା ସାରା’। କାର୍ଯ୍ୟକ୍ରମ ସମୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ ମଧ୍ୟ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ସଂଯୋଗୀକରଣ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସଂଯୋଗୀକରଣରେ ଉନ୍ନତି ଆଣିବା, ଶକ୍ତି ସୁରକ୍ଷା ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକରିବ ବୋଲି ଆଶା କରାଯାଉଛି।