ଆଜି ମହାପ୍ରଭୁଙ୍କୁ ଲାଗି ହେବ ରାଖୀ, ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ନୀତି

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖି ପିନ୍ଧାଇବେ । ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାଖି ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକମାନେ ଲାଗି କରାଇବେ ।ସେହିପରି  ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରାଯାଇ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ ।ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବା ପରେ ପୂଜାପଣ୍ଡା ସେବକ ଜୀବନ୍ୟାସ ଦେଇ ଜାତକର୍ମ କରାଇବେ ।  ପରେ ପଞ୍ଚଉପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଶେଷରେ ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରାଇବେ ।