ଆଜି ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍

ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ । ଏହି ପରୀକ୍ଷାମୂଳକ ଉଡ଼ାଣ ସଫଳ ହେଲେ ଜିଲ୍ଲାବାସୀଙ୍କ ପାଇଁ ବିମାନ ସେବା ଆରମ୍ଭ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଅପରାହ୍ନ ୧.୫୦ ରେ ଜୟପୁରରୁ ବାହାରି ୨.୨୦ ରେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବ । ପୁଣି ୨.୩୦ ରେ ମାଲକାନଗିରି ଏୟାରପୋର୍ଟ ରୁ ବାହାରି ୩.୦୦ ରେ ଜୟପୁରକୁ ବିମାନ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୋମବାର ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିମାନବନ୍ଦରର ବିସ୍ତୃତ ସୁରକ୍ଷା ଯାଞ୍ଚ କରାଯାଇଛି । ଏହି ପରୀକ୍ଷା ସଫଳ ହେଲେ ‘ଉଡାନ’ ଯୋଜନା ଅଧୀନରେ ଆସନ୍ତା ଏକ ମାସ ମଧ୍ୟରେ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବ ।ଏହି ସେବା ଆରମ୍ଭ ହେଲେ ମାଲକାନଗିରିର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ ଓ ଆର୍ଥିକ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।