ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍କା! ଗ୍ରୀନ୍ କାର୍ଡ ଉପରେ କଟକଣା ଲାଗୁ
ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍ଫୋସିସ୍, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (TCS), ୱିପ୍ରୋ, HCLTech, କଗ୍ନିଜାଣ୍ଟ, କ୍ୟାପ୍ଜେମିନି, ମାଇକ୍ରୋସଫ୍ଟ ଏବଂ ଆଡୋବ୍ ସମେତ ୮ଟି କମ୍ପାନୀକୁ ଗ୍ରୀନ୍ କାର୍ଡ ସହ ଜଡ଼ିତ PERM ଲେବର ସାର୍ଟିଫିକେସନ୍ ପ୍ରକ୍ରିୟାରୁ ସ୍ଥଗିତ ରଖିଛି ।ସୂଚନାନୁଯାୟୀ, କାଲି ଆମେରିକାର ଶ୍ରମ ସଚିବ କିଥ୍ ସଣ୍ଡରଲିଙ୍ଗ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହି ୮ଟି କମ୍ପାନୀ ପାଇଁ PERM ବା ପରମାନେଣ୍ଟ ଲେବର ସାର୍ଟିଫିକେସନ୍ କାର୍ଯ୍ୟକ୍ରମ ଅଧୀନରେ ଆଉ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । ପୂର୍ବରୁ ଦାଖଲ ହୋଇଥିବା ଓ ବିଚାରାଧୀନ ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ମଧ୍ୟ ବନ୍ଦ ରହିବ। ଆମେରିକୀୟ କର୍ମଚାରୀଙ୍କ ଚାକିରି ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଟ୍ରମ୍ପ ପ୍ରଶାସନ କହିଛି।PERMର ହେଉଛି Program Electronic Review Management। ଆମେରିକାରେ ଚାକିରି ଆଧାରରେ ଗ୍ରୀନ୍ କାର୍ଡ ପାଇବା ପ୍ରକ୍ରିୟାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ପଦକ୍ଷେପ।ଏହି ପ୍ରକ୍ରିୟାରେ କମ୍ପାନୀକୁ ଆମେରିକାର ଶ୍ରମ ବିଭାଗ ସମ୍ମୁଖରେ ପ୍ରମାଣ କରିବାକୁ ପଡ଼େ ଯେ, ନିର୍ଦ୍ଦିଷ୍ଟ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଥିବା ଆମେରିକୀୟ କର୍ମଚାରୀ ଉପଲବ୍ଧ ନାହାନ୍ତି ଏବଂ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଆମେରିକୀୟ କର୍ମଚାରୀଙ୍କ ଦରମା କିମ୍ବା କାର୍ଯ୍ୟ ପରିସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିବ ନାହିଁ।PERM ଅନୁମୋଦନ ପରେ ନିଯୁକ୍ତିଦାତା ସାଧାରଣତଃ ଗ୍ରୀନ୍ କାର୍ଡ ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇପାରନ୍ତି। ତେଣୁ ଏହି ପ୍ରକ୍ରିୟା ସ୍ଥଗିତ ହେବା ଫଳରେ ସମ୍ପୃକ୍ତ କମ୍ପାନୀର କର୍ମଚାରୀଙ୍କ ଗ୍ରୀନ୍ କାର୍ଡ ଆବେଦନ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହୋଇପାରେ ।