ଉପ-ନିର୍ବାଚନ ଭୋଟ ଗଣତି ଆରମ୍ଭ : ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?
ଶୁକ୍ରବାର ସକାଳ ୮ଟାରୁ ଆସାମର ନଗାଁଓ ଲୋକସଭା ସମେତ ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀର ୫ଟି ବିଧାନସଭା ଆସନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି।ବିଭିନ୍ନ ରାଜ୍ୟରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଏହି ଫଳାଫଳ ରାଜନୈତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱ ବହନ କରୁଛି ।ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଫଳାଫଳକୁ ନେଇ ବିଶେଷ ଉତ୍ସୁକତା ରହିଛି। ରାଜ୍ୟରେ ୧୫ ବର୍ଷ ଧରି ଶାସନ କରିଥିବା ତୃଣମୂଳ କଂଗ୍ରେସକୁ ହଟାଇ ଭାଜପା କ୍ଷମତାକୁ ଆସିବା ପରେ ଏହି ଉପନିର୍ବାଚନକୁ ଗୁରୁତ୍ୱର ସହ ଦେଖାଯାଉଛି। ଯଦିଓ ଏହି ନିର୍ବାଚନକୁ ନୂଆ ଭାଜପା ସରକାରଙ୍କ ପାଇଁ ସିଧାସଳଖ ଜନମତ ସଂଗ୍ରହ ବୋଲି କୁହାଯାଇପାରିବ ନାହିଁ, ତଥାପି ଏହା ଶାସକ ଦଳର ନିର୍ବାଚନୀ ଶକ୍ତି ଓ ବିରୋଧୀ ଦଳଗୁଡ଼ିକର ସ୍ଥିତି ସମ୍ପର୍କରେ ସଙ୍କେତ ଦେଇପାରେ। ତେବେ ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ପରବର୍ତ୍ତୀ ସମୟରେ ଇଭିଏମ୍ ଗଣତି ଆରମ୍ଭ କରାଯାଇଛି। ଆସାମର ନଗାଁଓ ଆସନରେ ୭୬.୧୯ ପ୍ରତିଶତ ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ୮୦.୮୯ ପ୍ରତିଶତ ଏବଂ ରେଜିନଗରରେ ୮୦.୦୮ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।