ଏକକାଳୀନ ହେବ ପଞ୍ଚାୟତ-ପୌର ନିର୍ବାଚନ, ମାର୍ଚ୍ଚ ମାସରେ ପ୍ରକାଶ ପାଇବ ବିଜ୍ଞପ୍ତି

ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୌରାଞ୍ଚଳ ପାଇଁ ୧୨ ହଜାର ଇଭିଏମ, ଆଉ ୬ ହଜାର ନୂଆ ଇଭିଏମ ଆବଶ୍ୟକ ରହିଛି । ଏହାସହ ବାଲଟ୍ ପେପର୍, ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ । ଏନଏସିରେ ଗୋଟେ ୱାର୍ଡକୁ ଗୋଟେ ବୁଥ ହେବ। ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ନୋଟିଫିକେସନ୍ ହେବ। ଏପ୍ରିଲ କିମ୍ବା ମେ ରେ ପାଖାପାଖି ସମୟରେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ କରାଯିବ । ଅକ୍ଟୋବର ମାସରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଏଥର ରାଜ୍ୟର ୧୪୩ଟି ପୌର ସଂସ୍ଥା, ଅର୍ଥାତ୍ ମ୍ୟୁନିସିପାଲ୍ କର୍ପୋରେସନ୍, ପୌରପାଳିକା ଓ ଏନ୍‌ଏସିରେ ନିର୍ବାଚନ ହେବ । ସମ୍ବଲପୁର ମହାନଗର ନିଗମ ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ସମାଧାନ ହୋଇସାରିଛି ଏବଂ ସମ୍ପର୍କିତ ଆଦେଶ ମଧ୍ୟ ପ୍ରକାଶ ପାଇଛି । ଏହି ସୂଚନା ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ଦେଇଛନ୍ତି ।