ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ସହ ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ଉନ୍ନତ, ଆଧୁନିକ ଓ ରୋଗୀ-ଅନୁକୂଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ଦିଗରେ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଆଜି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ପ୍ରକଳ୍ପ ଭିତ୍ତିଭୂମି, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତିର ବିସ୍ତୃତ ସମୀକ୍ଷା କରିଥିଲେ ।ପରିଦର୍ଶନ ସମୟରେ ମନ୍ତ୍ରୀ ନୂତନ ନିର୍ମାଣଧୀନ ହସ୍ପିଟାଲ ବ୍ଲକ, ପିଜି ହଷ୍ଟେଲ, ରେସିଡେଣ୍ଟ ଡାକ୍ତରମାନଙ୍କ ହଷ୍ଟେଲ ଏବଂ ସହକାରୀ ପ୍ରଫେସରମାନଙ୍କ ବାସଭବନ ବୁଲି ଦେଖିଥିଲେ। ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣର ଅଗ୍ରଗତି, କାର୍ଯ୍ୟର ଗୁଣବତ୍ତା ସମ୍ପର୍କରେ ସେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।ସେ ଆହୁରି କହିଥିଲେ ଯେ, ରୋଗୀଙ୍କ ସୁବିଧା, ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟ ପରିବେଶ ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ରହଣି ସୁବିଧାରେ ଉନ୍ନତି ଆଣିବା ମୁଖ୍ୟ ଉଦ୍ଦେଶ୍ୟ। ନୂତନ ଭିତ୍ତିଭୂମି ସୃଷ୍ଟି ହେଲେ ରୋଗୀ ସେବାର ମାନ ବୃଦ୍ଧି ପାଇବା ସହିତ ରାଜ୍ୟର ଚିକିତ୍ସା ଶିକ୍ଷା ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହେବ ।