କେଜ୍ରିଓ୍ଵାଲ ଓ ତାଙ୍କ ଝିଅକୁ ମିଳିଲା ହତ୍ୟା ଧମକ
ଆମ୍ ଆଦମୀ ପାର୍ଟି(AAP)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କ ଝିଅ ହର୍ଷିତା କେଜ୍ରିଓ୍ଵାଲଙ୍କୁ ଜୀବନରେ ମାରି ଦେବାକୁ ମିଳିଛି ଧମକ ।କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ଧମକ ଦିଆଯିବା ସହ ୭ କୋଟି ଟଙ୍କା ଦାବି କରାଯାଇଛି ।ଦିଲ୍ଲୀର ତିଲକ ନଗର ଆସନର ଆପ୍ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ନିକଟକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଓ ହ୍ୱାଟ୍ସଆପ୍ ମେସେଜ୍ ଆସିଥିଲା ।ଅଭିଯୋଗ ଆସିବା ପରେ ନଭେମ୍ବର ୬ରେ ପଞ୍ଜାବର ମୋହାଲି ପୋଲିସ ମାମଲା ରୁଜୁ କରିଛି। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଚଳାଇଛି। ଧମକ ଦେଇଥିବା ବ୍ୟକ୍ତି ହରିୟାଣାର ରୋହତକ ନିବାସୀ। ତେବେ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନାହିଁ। ଘଟଣାର ତଦନ୍ତ ଦାୟିତ୍ଵ ସାଇବର କ୍ରାଇମ ପୋଲିସ ଷ୍ଟେସନର ଇନ୍ସପେକ୍ଟର ସୁନୀଲ କୁମାରଙ୍କୁ ଦିଆଯାଇଛି।ପୋଲିସ ତଦନ୍ତ ପରେ ହିଁ ଧମକ ପଛରେ କିଏ ରହିଛି ଓ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ, ତାହା ଜଣାପଡ଼ିବ ।