ଗଞ୍ଜାମ ବନ୍ୟା ପରିଚାଳନାକୁ ନେଇ ବିରୋଧୀଙ୍କୁ ସୁରେଶ ପୂଜାରୀଙ୍କ ଖୋଲା ଚ୍ୟାଲେଞ୍ଜ
ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ ।ଏଥିସହ ବିଧାନସଭାରେ ଖୋଲା ବିତର୍କ ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ।ମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ପ୍ରଶ୍ନ କରିବା ଓ ଅଭିଯୋଗ ଆଣିବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ କେବଳ ପ୍ରଶ୍ନ କଲେ ହେବନାହିଁ, ତାହାର ଉତ୍ତର ମଧ୍ୟ ଦେବାକୁ ପଡ଼ିବ । ପୂର୍ବ ସରକାରଙ୍କ ୨୪ରୁ ୨୫ ବର୍ଷର ଶାସନ କାଳରେ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଥିଲା, ତାହାର ତଥ୍ୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।ତିତିଲି ସମୟରେ ୭୨ ଓ ଫନି ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆମ ସରକାରରେ ଜିରୋ କାଜୁଆଲିଟିକୁ ଆମେ ପ୍ରାଥମିକତା ଦେଉଛୁ। ମାତ୍ର ପାହାଡରୁ ପଥର ଖସିବାର କୌଣସି ପୂର୍ବାନୂମାନ ନ ଥାଏ।
ବିଭିନ୍ନ ନଦୀରେ ଜଳ ଛାଡିବା ବ୍ୟବସ୍ଥାକୁ ଅଟୋମେଟିକ ରଖା ଯାଇଥିଲା । ମାତ୍ରାଧିକ ବର୍ଷା କାରଣରୁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। IMD ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ତେବେ ଆକଳନ ଠାରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡିଲା। ଗତ ୨୮,୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ହେବାରୁ ସୃଷ୍ଟି ହୋଇଥିଲା ବନ୍ୟା ସ୍ଥିତି। ଗଞ୍ଜାମରେ ୩ ଦିନରେ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା। ବିପର୍ଯ୍ୟୟ ମୁକାବିଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଥିଲା । ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାରେ ଅସ୍ଥାୟୀ ଭାବେ ନିୟୋଜିତ କରାଯାଇଥିଲା ବୋଲି ସେ କହିଛନ୍ତି।ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଓ ଭିତ୍ତିଭୂମି ବିକାଶର ଯୋଜନା କରାଯାଉଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି । ଆସନ୍ତା ୧୮ ତାରିଖରୁ ବିଧାନସଭାରେ ଏହି ପ୍ରସଙ୍ଗରେ ସରକାର ସମସ୍ତ ତଥ୍ୟ ରଖିବେ । ତେଣୁ ସମସ୍ତ ରାଜନୈତିକ ଦଳ ଆଲୋଚନାରେ ଭାଗ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।