ଗଞ୍ଜାମରେ ଭୀଷଣ ବନ୍ୟା, ପାଣି ଘେରରେ ଫସିଥିବା ଲୋକଙ୍କୁ କରାଯିବ ଏୟାରଲିଫ୍ଟ

ବାତ୍ୟା ଅର୍ଣ୍ଣବ ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ରାଜୀବ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ବନ୍ୟା ସ୍ଥିତି ମୁକାବିଲା ଲାଗି ଉଦ୍ୟମ ଚାଲିଛି । ଗଞ୍ଜାମରେ ବନ୍ୟା ସ୍ଥିତି ସାଂଘାତିକ । ଚାରିଆଡ଼େ ବନ୍ୟା ଜଳ ଘେରି ରହିଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଏଭଳି ସ୍ଥିତିରେ ପାଣି ଘେରରେ ଫସିଥିବା ୧୨୦ ଜଣଙ୍କୁ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ପଦକ୍ଷେପ ନିଆଯାଉଛି । ଏଥିପାଇଁ କୋଷ୍ଟଗାର୍ଡ ସହ ଆଲୋଚନା ଶେଷ ହୋଇଛି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରାଯିବାର ଯୋଜନା ରହିଛି।ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଛି । ଗଞ୍ଜାମରେ ୨୨ଟି ବ୍ଲକର ୨୯୯ ଗାଁର ୪୪ ହଜାର ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି । ୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।ପାଣି ଘେରରେ ଏବେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଶ୍ରୀକାକୁଲମରେ ରେଳ ବ୍ରିଜ୍ ଉପରେ ପାଣି ଚାଲୁଥିବା ଫଳରେ ଟ୍ରେନ୍ ଅଟକିଛି । ରୋଡ୍ ସୁବିଧା ଥିବା ଲୋକଙ୍କୁ ପଠାଇ ବାକି ଲୋକଙ୍କୁ ଷ୍ଟେସନରେ ସବୁ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର RD ଏସବୁ ମନିଟର କରୁଛନ୍ତି । ବର୍ଷା କମିଲେ ସ୍ଥିତି ସୁଧୁରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।