ଜେନେରିକ୍ ଔଷଧ ଉପରେ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି , ୨ ବର୍ଷ ପରେ ଲାଗିବ ୨୦୦% ଟାରିଫ୍
ଆମେରିକାରେ ଘରୋଇ ଔଷଧ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଉପରେ ନୂଆ ଟାରିଫ୍ ନୀତି ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ୨୦୨୬ ଅଗଷ୍ଟ ୧ରୁ ଆରମ୍ଭ କରି ଦୁଇ ବର୍ଷ ପର୍ଯ୍ୟନ୍ତ ଆମଦାନି ହେଉଥିବା ଜେନେରିକ୍ ଔଷଧ ଉପରେ ଶୂନ ପ୍ରତିଶତ ଟାରିଫ୍ ରହିବ । ଏହା ପରେ ଗୋଟିଏ ବର୍ଷ ପାଇଁ ୧୦୦ ପ୍ରତିଶତ ଏବଂ ତା’ପରେ ୨୦୦ ପ୍ରତିଶତ ଟାରିଫ୍ ଲାଗୁ ହେବ । ଏହି ଘୋଷଣା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଆମେରିକାକୁ ସର୍ବାଧିକ ଜେନେରିକ୍ ଔଷଧ ରପ୍ତାନି କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅଗ୍ରଣୀ ।ଏହି ଘୋଷଣା ସେହି ସମୟରେ ହୋଇଛି ଯେତେବେଳେ ଟ୍ରମ୍ପ୍ ପ୍ରଶାସନ ଔଷଧ ପ୍ରସ୍ତୁତିରେ ବିଦେଶୀ ନିର୍ଭରତା କମ୍ କରିବାକୁ ଚାହୁଁଛନ୍ତି । ଏହାଦ୍ୱାରା ଆମେରିକୀୟ ଫାର୍ମା ସେକ୍ଟର ଅନ୍ୟ ବିକଶିତ ଦେଶର ଫାର୍ମା ସେକ୍ଟର ସହ ସମାନ ହୋଇପାରିବ । ଅନ୍ୟ ଦିଗରେ ପ୍ୟାଟେଣ୍ଟ୍ ଏବଂ ଇନୋଭେଟିଭ୍ ଔଷଧ ନୀତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଆମେରିକୀୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅନୁସାରେ, ୟୁଏସରେ ୯୦ ପ୍ରତିଶତ ଜେନେରିକ୍ ମେଡିସିନ୍ ପ୍ରେସକ୍ରିପସନରେ ପ୍ରଦାନ କରାଯାଏ । ଯାହା ଭାରତୀୟ କମ୍ପାନୀଙ୍କ ପାଇଁ ବ୍ୟବସାୟର ପ୍ରମୁଖ ଉତ୍ସ ଅଟେ ।