ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାଇଁ ସ୍ୱିଟ୍ ହାଉସୱାଇଫ’ ବହୁତ ସୁନ୍ଦର କାହାଣୀ ଓ ଅଭିନୟ

ଦୁଇଜଣ ନିର୍ଦ୍ଦେଶକ ହେଲେ ପିନାକୀ ସିଂ ଓ ଶିଶିର ସାହୁ। ଯୁଗ୍ମ ଭାବେ ଏମାନେ ‘ମାଇଁ ସ୍ୱିଟ୍ ହାଉସୱାଇଫ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଅମିତ କୁମାର ଦାଶ। ସଂକ୍ଷେପରେ କହିଲେ କୌଣସି ହିଂସ୍ର ଭାବାବେଗକୁ ବା ଫାଇଟିଙ୍ଗ ଆଦିକୁ ଗୁରୁତ୍ୱ ନଦେଇ ସମ୍ପୂର୍ଣ୍ଣ ଭାବେ ଭଲ କାହାଣୀ ଆଧାରରେ ଏହି ଚଳଚ୍ଚିତ୍ରଟିକୁ ନିର୍ମାଣ କରିବାକୁ ଚେଷ୍ଟା କରାଯାଇଛି।‘ମାଇଁ ସ୍ୱିଟ୍ ହାଉସୱାଇଫ’ ଚଳଚ୍ଚିତ୍ରରେ କାହାଣୀ ଉପସ୍ଥାପନର ଧାରାଟି ସରଳ ଓ ସାବଲୀଳ। ‘ମାଇଁ ସ୍ୱିଟ୍ ହାଉସୱାଇଫ’କୁ ନିଶ୍ଚିତ ଗୋଟିଏ ଭଲ ଚଳଚ୍ଚିତ୍ର ବୋଲି କୁହାଯାଇପାରିବ। କାରଣ ଏଥିରେ କୌଣସି ଅଯଥା ହିଂସ୍ର ଆଚରଣ ନାହିଁ। ଅବଶ୍ୟ ମନୋମାଳିନ୍ୟ କାରଣରୁ ସଂଘାତ ଅଛି, ଯାହା କି ସାଂସାରିକ ଜୀବନରେ ଅତି ସ୍ଵାଭାବିକ। ତେବେ କଥାବସ୍ତୁର ଅଗ୍ରଗତିରେ ଯେ ସଙ୍କଟ ନାହିଁ, ସେଭଳି ନୁହେଁ। କିନ୍ତୁ ସେସବୁକୁ ଅଣଦେଖା କରାଯାଇ ପାରେ, କାରଣ ଏଭଳି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ଗୋଟିଏ ଭଲ ପ୍ରଚେଷ୍ଟା।

ରୁଦ୍ର ଓ ଅପର୍ଣ୍ଣା ଭୂମିକାରେ ଯଥାକ୍ରମେ ପ୍ରୀତିରାଜ ଓ ନୈନା ଦାସଙ୍କ ଅଭିନୟ ଚରିତ୍ର ଉପଯୋଗୀ ହୋଇଥିଲା ବେଳେ ଅନ୍ୟ ସହଯୋଗୀ କଳାକାରମାନେ ମଧ୍ୟ ଭଲ ଅଭିନୟ କରିଛନ୍ତି। ଅବଶ୍ୟ ଏଭଳି ମତାମତ ବ୍ୟବସାୟିକ ଚଳଚିତ୍ରରେ ଯେଉଁଭଳି ଅଭିନୟ ପରିଦୃଷ୍ଟ ହୁଏ, ସେହି ମାନକ ଅନୁଯାୟୀ କୁହା ଯାଇପାରେ। ନଚେତ ଅଭିନୟ ଓ ଚରିତ୍ର ଚିତ୍ରଣକୁ ଅଧିକ ଶାଣିତ କରିବାର ସୁଯୋଗକୁ ଉପଯୋଗ କରାଯାଇ ପାରିଥାଆନ୍ତା। ନୈନା ଦାସଙ୍କ ସଂଳାପ ଉଚ୍ଚାରଣରେ କିଛିଟା ତ୍ରୁଟି ରହିଛି ଯାହାକି ରେକର୍ଡିଂ ଜନିତ ହୋଇଥାଇ ପାରେ। ନିର୍ମାତାମାନେ ସେହି ଦିଗ ପ୍ରତି ଅଧିକ ଧ୍ୟାନ ଦେବା ଦରକାର ଥିଲା। ଗୀତ ରେକର୍ଡିଂ କ୍ଷେତ୍ରରେ ମଧ୍ୟ ସେହି ସମସ୍ୟା ରହିଛି।

ଉଭୟ ପ୍ରୀତିରାଜ ଓ ନୈନା ଦାସ ଭଲ ଅଭିନେତା। କିନ୍ତୁ ପ୍ରୀତିରାଜ ଉପଯୁକ୍ତ ସମୟରେ ଯେଉଁ ସୁଯୋଗ ପାଇବା କଥା ତାହା ପାଇ ପାରିନାହାନ୍ତି। ନୈନାଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ କଥା କୁହାଯାଇପାରେ, ଯଦିଓ ସମ୍ପୂର୍ଣ୍ଣ ପୃଥକ କାରଣରୁ। ସେ ଯାହା ବି ହେଉ ‘ମାଇଁ ସ୍ୱିଟ୍ ହାଉସୱାଇଫ’ରେ ଉଭୟଙ୍କ ଅଭିନୟ ଭଲ ହୋଇଛି। ଏହି ଚଳଚ୍ଚିତ୍ର ଦ୍ଵାରା ଉଭୟଙ୍କର ‘କମ୍ ବ୍ୟାକ୍’ ହୋଇପାରେ ଓ ସେମାନେ ଆଗକୁ ଆହୁରି ଭଲ ଚଳଚ୍ଚିତ୍ର କରିବାର ଆଶା ରଖାଯାଇପାରେ।

ମିଷ୍ଟିକ କ୍ଲ କ୍ଲାପସ୍ ପକ୍ଷରୁ ପ୍ରଯୋଜିତ ‘ମାଇଁ ସ୍ୱିଟ୍ ହାଉସୱାଇଫ’ର ପ୍ରଯୋଜକ ପ୍ରୀତିରାଜ ଶତପଥୀ ଓ ନୈନା ଦାସ ତିୱାରୀ ରହିଥିବାବେଳେ ସହ ପ୍ରଯୋଜକ ହେଉଛନ୍ତି ସିଦ୍ଧାର୍ଥ ତିୱାରୀ। ସଙ୍ଗୀତ ନିର୍ଦ୍ଦେଶକ ଭାବେ ରହିଛନ୍ତି ରାହୁଲ ରାଉଳ ଓ ଡିଓପି ଦାୟିତ୍ଵ ତୁଲାଇଛନ୍ତି ରୁଦ୍ରକାନ୍ତ ସିଂ।

Leave a comment