ନୂଆ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୫ ଲକ୍ଷରୁ ଅଧିକଙ୍କୁ ଏକାଥରକେ ମିଳିବ ଟଙ୍କା

ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର । ଆସନ୍ତା ୧୦ ତାରିଖରେ ବାଲେଶ୍ଵର ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ବୁଢ଼ାବୁଢ଼ୀ ଏବଂ ବିଧବା ଭତ୍ତା ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଏହି ନିଷ୍ପତ୍ତି ଫଳରେ ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଅନେକ ଯୋଗ୍ୟ ଲୋକ ଉପକୃତ ହେବେ।ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି, ଏଣିକି ପେନସନ୍ ପାଇଁ ଆବେଦନ କରିବା ପରେ ଅନେକ ମାସ ଅପେକ୍ଷା କରିବାକୁ ପଡ଼ିବନି। ଆବେଦନ ମଞ୍ଜୁର ହେଲେ ତା’ ପର ମାସରୁ ହିତାଧିକାରୀଙ୍କୁ ପେନସନ୍ ମିଳିବ। ଏଥିପାଇଁ ଆବେଦନକାରୀମାନେ ନିଜ ଅଞ୍ଚଳର BDO କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଏହାବ୍ୟତୀତ ଅନଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନର ସୁବିଧା ରହିବ।ସେହିପରି କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏନ୍.ଏସ୍.ପି. (NSP) ଭତ୍ତା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ନୂଆ ପୋର୍ଟାଲ୍ ହେବା ଯୋଗୁଁ କିଛି ଲୋକ ଠିକ୍ ସମୟରେ ଭତ୍ତା ପାଇପାରି ନାହାନ୍ତି । ତେବେ ଏହାକୁ ନେଇ କେନ୍ଦ୍ର ମନ୍ତ୍ରାଳୟ ସହିତ କ୍ରମାଗତ ଭାବେ ଆଲୋଚନା କରାଯାଉଛି । ଯେଉଁମାନେ ୨ରୁ ୩ ମାସ ହେଲା ଭତ୍ତା ପାଇନାହାନ୍ତି, ସେମାନେ ମଧ୍ୟ ଏକାଥରକେ ସମସ୍ତ ବକେୟା ଭତ୍ତା ପାଇପାରିବେ । ଏନେଇ ବିଭାଗ ପକ୍ଷରୁ ବ୍ୟାପକ ତତ୍ପରତା ସହ କାର୍ଯ୍ୟ କରାଯାଉଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।