ବ୍ୟାଙ୍କିଂ ସଙ୍କଟରେ ରାଜନୈତିକ ଭୂକମ୍ପ, ମହାଭିଯୋଗରେ ହଟିଲେ ରାଷ୍ଟ୍ରପତି
ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବ୍ୟାଙ୍କିଂ ସଙ୍କଟ ଏକ ବଡ଼ଧରଣର ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି । ଡିଜିଟାଲ୍ ବ୍ୟାଙ୍କ ‘ୟୁଏନୋ ବ୍ୟାଙ୍କ’ ବୁଡ଼ିଯିବା ଏବଂ ଲକ୍ଷାଧିକ ଲୋକଙ୍କ ସଞ୍ଚୟ ଫସି ରହିବା ପରେ, ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କ ବିରୋଧରେ ମହାଭିଯୋଗ ଅଣାଯାଇ ତାଙ୍କୁ ପଦରୁ ହଟାଇ ଦିଆଯାଇଛି ।ଡିଜିଟାଲ୍ ବ୍ୟାଙ୍କ ଉଏନୋ ଦେବାଳିଆ ହେବା ଯୋଗୁଁ ସୃଷ୍ଟି ହୋଇଥିବା ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ଏପରି ସ୍ଥିତି ଉପୁଜିଛି । ଅଧିକାରୀମାନେ କହିଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ତାଙ୍କ ବିରୋଧରେ ଅଭିଯୋଗ ଚୂଡ଼ାନ୍ତ ନକରିଛନ୍ତି ସେପର୍ଯ୍ୟନ୍ତ ପେନାଙ୍କୁ ନଜରବନ୍ଦୀ ରଖାଯିବ। ପ୍ରଦର୍ଶନକାରୀ ଆସିନସିଅନରେ ପେନାଙ୍କ ବାସଭବନ ବାହାରେ ପ୍ରତିବାଦ କରିଥିଲେ। ପୁଲିସ ତାଙ୍କ ଘର ଚାରିପାଖରେ ସୁରକ୍ଷା ଘେରାବନ୍ଦୀ ବଜାୟ ରଖିଛି ।ପେନାଙ୍କ ବିରୋଧରେ ସ୍ୱାର୍ଥର ସଂଘର୍ଷ, ନିୟାମକ ବ୍ୟବସ୍ଥାରେ ହସ୍ତକ୍ଷେପ, ପେନସନ୍ ପାଣ୍ଠି ଅର୍ଥର ଦୁରୁପଯୋଗ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ସହ ଜଡ଼ିତ ମାମଲାରେ ତଥ୍ୟ ଲୁଚାଇଥିବା ଭଳି ଗମ୍ଭୀର ଅଭିଯୋଗ ରହିଛି । ତେବେ ପେନା ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପେନା ଗୁରୁବାର ପଦରୁ ଓହରିଯିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସାଂସଦମାନେ ତାଙ୍କ ଇସ୍ତଫା ଗ୍ରହଣ କରିବା ବଦଳରେ ମହାଭିଯୋଗ ଜରିଆରେ କଦାଚାର ଦୋଷୀ ସାବ୍ୟସ୍ତ କରିବା ପାଇଁ ପନ୍ଥା ଆପଣାଇଥିଲେ । ଏହାଫଳରେ ତାଙ୍କୁ କେବଳ ରାଷ୍ଟ୍ରପତି ପଦରୁ ହଟିବାକୁ ପଡ଼ିଲା ନାହିଁ, ବରଂ ପୂର୍ବତନ ରାଷ୍ଟ୍ରପତି ଭାବେ ମିଳୁଥିବା ଆଇନଗତ ସୁରକ୍ଷା ଏବଂ ଆଜୀବନ ସିନେଟ୍ ସଦସ୍ୟତା ମଧ୍ୟ ହରାଇବାକୁ ପଡ଼ିଲା । ଆଜି ତାଙ୍କୁ ବିଶ୍ୱାସଘାତକତା, କ୍ଷମତାର ଦୂରୁପଯୋଗ ଏବଂ ସରକାରୀ ପାଣ୍ଠି ଦୁରୁପଯୋଗ ମାମଲାରେ ଜେରା କରାଯିବ ବୋଲି ସରକାରୀ ଓକିଲ ସିଲିଆ ମାର୍ଗାରିଟା ଗୋଞ୍ଜାଲେଜ୍ ଓ୍ୱେଷ୍ଟର୍ ସୂଚନା ଦେଇଛନ୍ତି ।