ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର
ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା ବେଳେ ମୃତ୍ୟସଂଖ୍ୟା ୯୦୩କୁ ବଢ଼ିଛି । ନେପାଳୀ କର୍ତ୍ତୃପକ୍ଷ ଏନେଇ ସୁଚନା ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିବ୍ବତ ସୀମା ନିକଟରେ ହୋଇଥିବା ବରଫ-ପଥର ଧସିପଡ଼ିବା କାରଣରୁ ସୃଷ୍ଟି ହୋଇଥିବା ଏହି ବନ୍ୟା ଓ ଭୂସ୍ଖଳନରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପ୍ରାୟ ୨୦,୦୦୦ ସୁରକ୍ଷା କର୍ମୀ ଏବଂ ୧୪ଟି ସାମରିକ ହେଲିକପ୍ଟର ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ନେପାଳ ସରକାର କହିଛନ୍ତି ଯେ ସୋମବାର ସକାଳ ୭ଟା ସୁଦ୍ଧା ପ୍ରାୟ ୨,୫୦୦ରୁ ୩,୦୦୦ ଲୋକ ନିଖୋଜ ବା ସମ୍ପର୍କହୀନ ରହିଛନ୍ତି। ଜଳବିଦ୍ୟୁତ୍ ପ୍ରକଳ୍ପର ୯୩୩ କର୍ମଚାରୀ ନିଖୋଜ ଥିବା ସୂଚନା ରହିଛି । ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳ ସେନା, ନେପାଳ ପୋଲିସ ଏବଂ ସଶସ୍ତ୍ର ପୋଲିସ ବଳର ପ୍ରାୟ ୨୦ ହଜାର ୮୧୧ ଯବାନ ନିୟୋଜିତ ଅଛନ୍ତି । ହେଲିକପ୍ଟର ଓ ବିମାନ ଯୋଗେ ୪୧୧ ଥର ଉଡ଼ାଣ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୦,୪୫୧ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି, ଯେଉଁଥିରେ ଭାରତୀୟଙ୍କ ସମେତ ଅନେକ ବିଦେଶୀ ନାଗରିକ ରହିଛନ୍ତି । ଅଚିହ୍ନା ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ୨୧ଟି ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇ ପ୍ରକ୍ରିୟା ଜାରି ରହିଛି ।