ପେଟ୍ରୋଲ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ କାର୍ଯ୍ୟକାରୀ, ନିୟମ କୋହଳ

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅଳ୍ପ ଦିନ ମଧ୍ୟରେ ଯେଉଁମାନଙ୍କର ପ୍ରଦୂଷଣ ଜୋରିମାନା ଆସିଥିବ ତାକୁ ଅଣଦେଖା କରାଯିବ ବୋଲି ପରିବହନ ଆୟୁକ୍ତ ସ୍ପଷ୍ଟ କରିଛନ୍ତି। ସୂଚନାମୁତାବକ ସୋମବାର ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଆରଟିଓ-୧ ପରିସରରେ ତୈଳ ବିତରକ କମ୍ପାନୀ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ ହୋଇଥିଲା। ଏହା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ। ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍‌ରେ ଲେଖିବାକୁ କହିଛୁ। ପିୟୁସି କରାଇବାକୁ ସେମାନେ ଆଉଟ୍‌ଲେଟ୍‌ରେ ଲେଖିବେ। ଏପରିସ୍ଥଳେ ପ୍ରଦୂଷଣ ପରୀକ୍ଷାକେନ୍ଦ୍ରରେ ଲୋକଙ୍କ ଗହଳି ଆରମ୍ଭ ହୋଇଥିଲା। ତେବେ ବଡ଼ କଥା ହେଉଛି, ପ୍ରଦୂଷଣ ଜୋରିମାନା ପାଇବାର ୭ ଦିନ ଭିତରେ ପ୍ରମାଣପତ୍ର କରାଇ ନେଉଥିବା ଲୋକଙ୍କୁ ନିୟମ ଅନୁସାରେ ଜୋରିମାନାରୁ ଛାଡ଼ କରାଯାଉ ନାହିଁ। କାରଣ ୱେବ୍‌ସାଇଟରେ ସମସ୍ୟା ହେତୁ ସେମାନେ ପ୍ରମାଣପତ୍ର ଅପଲୋଡ କରିପାରୁ ନାହାନ୍ତି। ଫଳରେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି।