ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ, ଶକ୍ତିଶାଳୀ ହେଉଛି ଲଘୁଚାପ

ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଭୀଷଣ ବର୍ଷା ଆଶଙ୍କାରେ ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଦିଆଯାଇଛି । ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଲାଗି ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଏହାର ନିକଟବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ଶୁକ୍ରବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିଲା । ଆଗାମୀ ଦୁଇ ଦିନରେ ଏହା ଅଧିକ ଘନୀଭୂତ ହେବ । ସମ୍ଭବତଃ ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୯ ତାରିଖ ଯାଏ ଓଡ଼ିଶାରେ ବର୍ଷା ହେବ । କିନ୍ତୁ ୮ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି ।ଲଗାଣ ବର୍ଷା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।