ଅଭିଯୁକ୍ତ ସୋନମଙ୍କ ଜାମିନ ଉପରେ ରୋକ୍ ଲଗାଇଲେନି ସୁପ୍ରିମକୋର୍ଟ
ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି । ସୁପ୍ରିମକୋର୍ଟ ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଦିଆଯାଇଥିବା ଜାମିନ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି । ନିମ୍ନ ଅଦାଲତ ଏବଂ ମେଘାଳୟ ହାଇକୋର୍ଟ ପରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ମେଘାଳୟ ପୋଲିସର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସୋନମଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକ ଅତ୍ୟନ୍ତ ସଂଗୀନ ଏବଂ ଏହାର ବିସ୍ତୃତ ଯାଞ୍ଚ ଆବଶ୍ୟକ, ମାତ୍ର ସେ ବର୍ତ୍ତମାନ ଜେଲରୁ ମୁକ୍ତ ହୋଇସାରିଥିବାରୁ ଏହି ସମୟରେ କୋର୍ଟ ତାଙ୍କ ଜାମିନ ଉପରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି । ଏହି ମାମଲାର ଆଗାମୀ ଶୁଣାଣି ଗୁରୁବାର ହେବ। ସେ ପର୍ଯ୍ୟନ୍ତ ସୋନମ ଜାମିନରେ ରହିବେ।ଅଦାଲତରେ ଶୁଣାଣି ସମୟରେ ମେଘାଳୟ ପୋଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ, ସୋନମଙ୍କ ପୂର୍ବ ଜାମିନ ଆବେଦନଗୁଡ଼ିକ ଖାରଜ ହୋଇସାରିଥିଲା ଏବଂ ଗିରଫ କାଗଜପତ୍ରରେ କେବଳ ଏକ ଟାଇପିଂ ଭୁଲ୍ ଥିଲା, ଯାହାକୁ ଆଧାର କରି ହାଇକୋର୍ଟ ଜାମିନ ଦେଇଛନ୍ତି। ଅନ୍ୟପଟେ ସୋନମଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଗିରଫ ସମୟରେ ତାଙ୍କୁ କୌଣସି ଆଇନଗତ ସହାୟତା ମିଳିନଥିଲା ଏବଂ ଗିରଫର କାରଣ ମଧ୍ୟ ସଠିକ୍ ଭାବେ ଜଣାଯାଇନଥିଲା। ଏହା ସହିତ ସେ ବର୍ତ୍ତମାନ ଶିଲଂରେ ଅଛନ୍ତି, ତାଙ୍କ ଉପରେ କଡ଼ା କଟକଣା ଲଗାଯାଇଛି ଏବଂ ସେ କୌଣସି ପ୍ରମାଣ ନଷ୍ଟ କରିପାରିବେ ନାହିଁ। କୋର୍ଟ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିବା ସହ ତଦନ୍ତ ପ୍ରକ୍ରିୟା ଜାରି ରଖିବାକୁ କହିଛନ୍ତି ।