୧୦ ଦିନରେ ୨ ଟି ବିଦ୍ୟୁତ ଟ୍ରାନ୍ସଫରମର ଚୋରି

ଗଣିଆ ତା୨୨/୦୮ (ବିଶ୍ୱରଂଜନ ସେଠି )ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଂଚାୟତ ରେ ଗତ କିଛିଦିନ ହେଲା ବିଦ୍ୟୁତ ଟ୍ରାନ୍ସଫରମର ଚୋର ଙ୍କ ପ୍ରାଦୃର୍ଭାବ ବଢ଼ିବାରେ ଲାଗିଛି। ଏହି ଚୋର ଗ୍ୟାଙ୍ଗ ଲୋକଙ୍କ ଆଖିରେ ଧୂଳି ଦେଇ ୧୦ ଦିନ ମଧ୍ୟରେ ଦୁଇଟି ୧୦ କେଭି ବିଦ୍ୟୁତ ଟ୍ରାନ୍ସଫରମର ଚୋରି କରି ନେଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜକୁ ଦଶ ଦିନ ତଳେ ଛାଡମୁଳ ଭଗା ମୁଣ୍ଡା ଗ୍ରାମରୁ ଗୋଟିଏ ୧୦କେଭି ବିଦ୍ୟୁତ ଟ୍ରାନ୍ସଫରମର ଚୋରି ହୋଇଥିବା ବେଳେ ଗତ ଗୁରୁବାର ରାତିରେ ଛାମୁଣ୍ଡିଆ ବନାଞ୍ଚଳ କାର୍ଯ୍ୟାଳୟ ନିକଟ ବଙ୍ଗଳା ସାହି ରୁ ଆଉ ଏକ ୧୦କେଭି ବିଦ୍ୟୁତ ଟ୍ରାନ୍ସଫରମର ଚୋରି ହୋଇଥିବା ଜଣା ପଡିଛି।ଫଳରେ ଉଭୟ ଗ୍ରାମର କିଛି ଉପୋଭୋକ୍ତା ଅନ୍ଧାରରେ ରହିଥିବା ଅଭିଯୋଗ ହେଉଛି।ପ୍ରକାଶ ଯୋଗ୍ୟ ୧୦ରୁ ୧୫ଘର ଥିବା ସାହି ବା ଗ୍ରାମରେ ଛୋଟ ଛୋଟ ୧୦କେଭି ପାୱାର ର ବିଦ୍ୟୁତ ଟ୍ରାନ୍ସଫରମର ଲାଗିଥାଏ। ଏହି ଟ୍ରାନ୍ସଫରମର ଗୁଡିକ ମାତ୍ର ଚାରୋଟି ନଟବୋଲଡ଼ ଦ୍ୱାରା ରହୁଥିବାରୁ ଚୋର ମାନେ ସହଜରେ ଚୋରି କରିବାରେ ସକ୍ଷମ ହେଉଛନ୍ତି।

ଟ୍ରାନ୍ସଫରମର ଭିତରେ ଥିବା ତମ୍ବା କଏଲ କୁ ଚୋରି କରି ଅନ୍ୟତ୍ର ବିକ୍ରି କରୁଥିବା ଅନୁମାନ କରାଯାଉଛି। ସେହିପରି ଗତ କିଛି ମାସ ତଳେ ବେଠିଆସାହି, ଛାମୁଣ୍ଡିଆ ମଧୁପୁର ଗ୍ରାମରୁ ମଧ୍ୟ ଟ୍ରାନ୍ସଫରମର ଚୋରି ହୋଇଥିଲା। ଅନ୍ୟପକ୍ଷେ ଚଳିତ ବର୍ଷ ବନ୍ୟା ବେଳେ ଛାମୁଣ୍ଡିଆ ଛକ ନିକଟ ମହାନଦୀ କୂଳରୁ ଉଠା ଜଳସେଚନ ବିଭାଗ ର ଏକ ପାଣି ମୋଟର ଚୋରି ହୋଇଥିବା ଚାଷୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି।ଏତଦ ବ୍ୟତୀତ ଗତ ଶୀତ ଦିନେ ଲୋକଙ୍କ ବାଡ଼ି ଅଗଣାରୁ ପାଖାପାଖି ୮ରୁ ୧୦ ଟି ଟୁଲୁପମ୍ପ କୁ ଚୋର ମାନେ ଚୋରି କରି ନେଇ ଯାଇଥିଲେ। ଏଭଳି ବାରମ୍ବାର ଚୋରି ହେବା ଘଟଣା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।