ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ

ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। କିନ୍ତୁ ଆଜି କାର୍ଗୋ ଜାହାଜ ସମୁଦ୍ର ମଝିରେ ବୁଡ଼ିଯାଇଥିବା ଖବର ମିଳିଛି ।ମାଲବାହୀ ଜାହାଜ M/V ଓସେନ୍ ୱିନର ଲୁହା ପଥର ନେଇ ଯାଉଥିଲା। ଏଥିରେ ୨୪ ଜଣ କ୍ରୁ ସଦସ୍ୟ ଥିଲାବେଳେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚୀନ୍ ନାଗରିକ ବୋଲି ସୂଚନା ମିଳିଛି। ଜାହାଜ ଓସେନ ଓ୍‌ବିନରରେ ପାନାମା ଦେଶର ପତାକା ଲାଗିଥିଲା। ଉକ୍ତ ଜାହାଜ ପାରାଦୀପ ବନ୍ଦର ମଧ୍ୟରୁ ଲୁହାପଥର ବୋଝେଇ କରି ଗୁରୁବାର ରାତି ୧୦.୩୦ରେ ବର୍ଥ ଛାଡିଥିଲା। ସମୁଦ୍ରରେ ୨୪ ଘଣ୍ଟା ଯାତ୍ରା ପରେ ନିଖୋଜ ହୋଇଛି ବୋଲି ସୂଚନା ମିଳିଛି। ଏହା ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା କୁହାଯାଇଛି। ଜାହାଜ ବୁଡିଥିଲେ ସେଥିରେ ଥିବା ଛୋଟ ସୁରକ୍ଷା ବୋଟରେ ନାବିକ ଓହ୍ଲାଇ ସମୁଦ୍ରରେ ଥିବେ ବୋଲି ସୁରକ୍ଷା ଟିମ୍‌ ସନ୍ଧାନ କରୁଛନ୍ତି। ପାନାମା ଦେଶର ଜାହାଜ ଓ ଚାଇନା ଯାଉଥିବାରୁ ଏହାକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଦୁର୍ଘଟଣା ବୋଲି କୁହାଯାଇପାରିବ ନାହିଁ। କେଉଁ ପରିସ୍ଥିତିରେ ଜାହାଜ ନିଖୋଜ ଅଛି ତାହା ଅସ୍ପଷ୍ଟ ରହିଛି।