ମୋବାଇଲ୍ ଜିଦ୍ରୁ ମହାବିପଦ ! ଆଇଫୋନ୍ ପାଇଁ ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା
ଯେଉଁ ପୁଅ ପାଇଁ ଦିନରାତି ଏକ କରିଦେଲେ । ଆଜି ସେହି ପୁଅ ସାମାନ୍ୟ ଆଇ-ଫୋନ୍ ପାଇଁ ଜୀବନ ହାରିଦେଲେ ।ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରୁ ଆସିଛି ଛାତିଥରା ଘଟଣା। ପାହାଡ଼ରୁ ଖସି ପୁଅ ଓ ବାପାଙ୍କ ମୃତ୍ୟୁ ପରେ ମା’ ମଧ୍ୟ ହାରିଦେଲେ ଜୀବନ। ସହରର ତିସଗାଁଓ ଅଞ୍ଚଳରେ ଥିବା ପ୍ରସିଦ୍ଧ ଖବଡ଼୍ୟା ପାହାଡ଼ରୁ ଖସିପଡ଼ି ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।
ବାପାଙ୍କ ସାମାନ୍ୟ ଧମକକୁ ସହି ନପାରି ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ପାହାଡ଼ ଉପରକୁ ଚଢ଼ିଯାଇଥିଲେ । ବଞ୍ଚାଇବାକୁ ଯାଇ ପୁଅ ସହ ବାପା ତଳକୁ ଖସିପଡ଼ିଥିଲେ। ଆଖି ଆଗରେ ସ୍ୱାମୀ ଓ ପୁଅଙ୍କର ଏଭଳି ଦୁର୍ଘଟଣା ଦେଖି ମା’ ମଧ୍ୟ ଗଭୀର ମାନସିକ ଆଘାତ ପାଇଥିଲେ । ଆଉ ପାହାଡ଼ ଉପରୁ୍ ଡେଇଁ ପଡ଼ି ଜୀବନ ହାରିଛନ୍ତି । ଘଟଣାର ଆରମ୍ଭ ହୋଇଥିଲା ଆଇ-ଫୋନକୁ ନେଇ। ୧୮ ବର୍ଷୀୟ କୁନାଲ ନିଜ ବାପା-ମା’ଙ୍କୁ ଆଇ-ଫୋନ୍ କିଣିଦେବାକୁ ଜିଦ୍ ଧରିଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବାପା ଏଥିପାଇଁ ମନା କରିଥିଲେ। ବାପାଙ୍କ ଏହି ମନାକୁ ସହି ନପାରି ରାଗିଯାଇଥିଲେ କୁନାଲ। ପରିବାର ସହ ଝଗଡ଼ା ପରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଚଢ଼ିଯାଇଥିଲେ। କୁନାଲଙ୍କୁ ବୁଝାଇବା ପାଇଁ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ଚେଷ୍ଟା କରିଥିଲେ। ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଏହି ସମୟରେ କୁନାଲ ଓ ତାଙ୍କ ବାପା ପାହାଡ଼ରୁ ତଳକୁ ଖସିପଡ଼ିଥିଲେ । ଆଖି ଆଗରେ ସ୍ବାମୀ ଓ ପୁଅକୁ ହରାଇବା ଦେଖି ମା’ ପାହାଡ଼ରୁ ଡିଆଁ ମାରି ଜୀବନ ହାରିଥିଲେ ।