ମହାରାଷ୍ଟ୍ରରେ FDAର ବଡ଼ କାର୍ଯ୍ୟାନୁଷ୍ଠାନ; ମ୍ୟାକଡୋନାଲ୍ଡସ୍ ସମେତ ୮ଟି ପ୍ରମୁଖ ରେଷ୍ଟୁରାଣ୍ଟର ଫୁଡ୍ ଲାଇସେନ୍ସ ବାତିଲ

ମହାରାଷ୍ଟ୍ରରେ FDA ପକ୍ଷରୁ ବଡ଼ ଆକ୍ସନ । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ, ମହାରାଷ୍ଟ୍ରରେ ୮୯ଟି ହୋଟେଲ୍‌, ରେଷ୍ଟୁରାଣ୍ଟ ଓ ଢାବାରେ ଯାଞ୍ଚ କରିଥିଲା FDA । ଏଥିରୁ ୭୧ଟି ପ୍ରତିଷ୍ଠାନକୁ ସୁଧାର ପାଇଁ ନୋଟିସ୍‌ ଦିଆଯାଇଥିବା ବେଳେ ୧୩ଟିର ଫୁଡ୍ ବିଜନେସ୍ ଲାଇସେନ୍ସ ବାତିଲ୍‌ କିମ୍ବା ସ୍ଥଗିତ କରାଯାଇଛି । ମୁମ୍ବାଇର ବମ୍ବେ ପ୍ରେସିଡେନ୍ସି ରେଡିଓ କ୍ଲବ୍‌ର ରୋଷେଇ ଘରେ ମିଳିଛି ମାଛି ଓ ମୃତ ଅସରପା । ଖାଦ୍ୟ ରଖିବା ଜାଗାରେ ଅପରିଷ୍କାର ପରିବେଶ, ଖାଦ୍ୟକୁ ଚଟାଣରେ ରଖିବା, ଖାଦ୍ୟ ନିକଟରେ କେମିକାଲ୍‌ ରଖିବା ଭଳି ଅନିୟମିତତା ମଧ୍ୟ ଧରାପଡ଼ିଛି । ଏହାପରେ ଯାଞ୍ଚ ସମୟରେ ଖାଦ୍ୟ କିଣିବା, ବିକ୍ରି କିମ୍ବା ବଣ୍ଟନ ଉପରେ ରୋକ୍‌ ଲଗାଯାଇଛି । ସେହିପରି ମୁମ୍ବାଇର ଏକ ମ୍ୟାକ୍‌ଡୋନାଲ୍ଡସ୍‌ ଆଉଟଲେଟ୍‌ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇଛି । ଛତ୍ରପତି ସମ୍ଭାଜିନଗରର କ୍ରାନ୍ତି ଚୌକ ସ୍ଥିତ ଗାୟତ୍ରୀ ମେୱାଡ ପ୍ରାଇଭେଟ୍ ଲିମିଟେଡ୍ ହୋଟେଲରେ ଚଢ଼ଉ ସମୟର ଦୃଶ୍ୟ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଡ଼ାଏରେ ବାରମ୍ବାର ବ୍ୟବହାର ଯୋଗୁଁ ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିବା ତେଲ ମିଳିଥିଲା ।ପନିର ପଚା ଗନ୍ଧ କରୁଥିବାବେଳେ ସେଥିରେ କୌଣସି ଏକ୍ସପାୟାରୀ ଡେଟ୍ ନଥିଲା । ଟଏଲେଟ୍ ପାଖରେ ମାଙ୍କଡ଼ାଜାଲ ଭିତରେ ପନିପରିବା କଟାଯାଉଥିଲା ଏବଂ ଅଳିଆ ଆବର୍ଜନା ପାଖରେ ଖାଦ୍ୟ ସାମଗ୍ରୀ ରଖାଯାଇଥିଲା । ଖାଦ୍ୟ ପଦାର୍ଥରେ ମିଶ୍ରଣ ସହିତ ପ୍ରତିବନ୍ଧିତ ଗୁଟ୍କା ଏବଂ ପାନ ମସଲାରେ ଅବୈଧ କାରବାର ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । ଏବେ ପ୍ରଶ୍ନ ଗ୍ରାହକଙ୍କୁ ଖାଦ୍ୟ ପରଷୁଥିବା ପ୍ରତିଷ୍ଠାନଗୁଡ଼ିକ ଖାଦ୍ୟ ସୁରକ୍ଷା ନିୟମ କେତେ ମାନୁଛନ୍ତି?