ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ ସମନ କରିବ ଏନଆଇଏ କୋର୍ଟ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଇ-ତୋଇବା (LeT) ର ପ୍ରତିଷ୍ଠାତା ହାଫିଜ୍ ସୟିଦ୍ ନାମରେ ସମନ ଜାରି କରିବାକୁ ଜାତୀୟ ଏନଆଇଏର ବିଶେଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁ ସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟଙ୍କ ଆଦେଶକ୍ରମେ ଏହି ସମନ ଭାରତର ବୈଦେଶିକ ମନ୍ତ୍ରଣାଳୟ ମାଧ୍ୟମରେ ପାକିସ୍ତାନ ପଠାଯିବ | ଏହି କୋର୍ଟ ସମନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୟିଦଙ୍କୁ କୋର୍ଟରେ ହାଜର ହେବା ପାଇଁ ଆନୁଷ୍ଠାନିକ ଭାବେ ଏକ ସୁଯୋଗ ଦେବା। ଯଦି ସେ ହାଜର ନହୁଅନ୍ତି, ତେବେ ତାଙ୍କ ଅନୁପସ୍ଥିତିରେ ବିଚାର ପ୍ରକ୍ରିୟା ଜାରି ରଖିବା ପାଇଁ ଏହା ଆଇନଗତ ଭିତ୍ତିଭୂମି ପ୍ରସ୍ତୁତ କରିବ। ୨୦୨୬ ଜୁଲାଇରେ ଏନଆଇଏ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ସୟିଦଙ୍କୁ ପହଲଗାମ୍ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏବଂ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ଅଭିଯୋଗରେ ନାମିତ କରାଯାଇଛି।
ସେ ଉଭୟ ବ୍ୟକ୍ତିଗତ ଭାବେ ଏବଂ ଲସ୍କର-ଏ-ତୋଇବା ଓ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍)ର ମୁଖ୍ୟ ନେତା ଭାବେ ଏହି ଆକ୍ରମଣ ପଛରେ ରହିଥିବା ଅଭିଯୋଗ ହୋଇଛି। ଜାମ୍ମୁର ସ୍ୱତନ୍ତ୍ର କୋର୍ଟ ହାଫିଜ୍ ସୟିଦଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିବା ସହ ତାଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍) ଅନୁଯାୟୀ ଫେରାର ଘୋଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।