୪ ବର୍ଷରୁ କମ୍ ପିଲାଙ୍କ ପାଇଁ ଏହି ଔଷଧ ମନା !
କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥଣ୍ଡା ଏବଂ କାଶ ଔଷଧକୁ ନିଷିଦ୍ଧ କରିଛନ୍ତି। ବିଶେଷକରି କ୍ଲୋରଫେନିରାମିନ ମାଲେଏଟ (Chlorpheniramine Maleate) ଏବଂ ଫେନାଇଲେଫ୍ରିନ ହାଇଡ୍ରୋକ୍ଲୋରାଇଡ(Phenylephrine Hydrochloride) ଯୁକ୍ତ ସମସ୍ତ ଫିକ୍ସଡ ଡୋଜ କମ୍ବିନେସନ୍ (FDCs) ନିଷେଧ କରାଯାଇଛି। ଏହି ପଦକ୍ଷେପ ଶିଶୁ ସୁରକ୍ଷା ସମ୍ପର୍କରେ ଚିନ୍ତା ଏବଂ ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ବିଷୟରେ ଗମ୍ଭୀର ଅଭିଯୋଗ ପରେ ନିଆଯାଇଛି।ଏହି ଦୁଇ ଉପାଦାନ ଥିବା ସମସ୍ତ ଔଷଧର ଲେବଲ୍, ପ୍ୟାକେଜ୍ ଇନସର୍ଟ ଓ ବିଜ୍ଞାପନରେ ୪ ବର୍ଷରୁ କମ୍ ପିଲାଙ୍କ ପାଇଁ ଔଷଧ ବ୍ୟବହାର ନକରିବାକୁ ସ୍ପଷ୍ଟ ଚେତାବନୀ ଦେବା ବାଧ୍ୟତାମୂଳକ କରାଯାଇଛି ।
୨୦୨୫ ଏପ୍ରିଲ୍ ୧୫ରେ କେନ୍ଦ୍ର ସରକାର ଏହି ଦୁଇ ଉପାଦାନ ଥିବା କିଛି ନିର୍ଦ୍ଦିଷ୍ଟ ଏଫଡିସି ଉପରେ କଟକଣା ଲଗାଇଥିଲେ । ଏବେ ଏହାର ପରିସରକୁ ବଢ଼ାଇ ଏହି ଦୁଇ ଉପାଦାନ ଥିବା ସମସ୍ତ ଫର୍ମୁଲେସନ୍ ପାଇଁ ନିୟମ ଲାଗୁ କରାଯାଇଛି । ବିଶେଷଜ୍ଞ କମିଟି ଓ ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡ ବା DTABର ସୁପାରିସ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଅନୁଯାୟୀ, ଏହି ଔଷଧ ବ୍ୟବହାର ଚାରି ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରେ।