ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା; ସାଙ୍ଗ ଓମ୍ ପ୍ରକାଶଙ୍କ ହେଲା ଲାଏ ଡିଟେକ୍ସନ୍

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତଙ୍କ ଆଜି (ଶୁକ୍ରବାର) ଲାଏ ଡିଟେକ୍ସନ୍ ଟେଷ୍ଟ୍ ହୋଇଛି ।ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟୋରୀରେ କଡ଼ା ସୁରକ୍ଷା ମଧ୍ୟରେ ଓମ୍‌ଙ୍କୁ ସାମ୍ନା କରିବାକୁ ପଡ଼ିଛି ବିଶେଷଜ୍ଞଙ୍କ ପ୍ରଶ୍ନବାଣ । ଓମ୍‌ଙ୍କ ପରୀକ୍ଷା ପରେ ହତ୍ୟାକାଣ୍ଡର ଅସଲ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।ଓମ୍ ପ୍ରକାଶଙ୍କ ଉପରେ ସୌମ୍ୟଙ୍କ ପରିବାର ଲୋକ ସନ୍ଦେହ କରିଆସୁଛନ୍ତି । ଏପରିକି ସୌମ୍ୟଙ୍କୁ ଆକ୍ରମଣ ପଛରେ ଓମ୍ ପ୍ରକାଶଙ୍କ ହାତ ଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ସେପଟେ କ୍ରାଇମବ୍ରାଞ୍ଚ ପଚରାଉଚରା ବେଳେ ଓମ୍ ପ୍ରକାଶଙ୍କ ବୟାନରେ ତାଳମେଳ ରହିନଥିଲା । ଓମ୍ ପ୍ରକାଶ ଅନ୍ୟ କଥା କହୁଥିବା ବେଳେ ପୀଡ଼ିତା ଓ ତାଙ୍କ ସାଙ୍ଗ ଭିନ୍ନ କଥା କହିଥିଲେ । କେଉଁ କାରଣ ପାଇଁ ମେ’ ୭ରେ ସ୍ପଷ୍ଟ ଦିବାଲୋକରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଥିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରୁ ନାହିଁ । ତେଣୁ ଓମ୍ ଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ନିଷ୍ପତ୍ତି ନେଇଥିଲା । ଏପରିକି ଏହି ଟେଷ୍ଟ୍ ପାଇଁ କୋର୍ଟଙ୍କ ଠାରୁ ଅନୁମତି ଲୋଡ଼ା ଯାଇଥିଲା ।ଗତ ମେ’ ୭ ତାରିଖରେ ବାଲିଅନ୍ତା ଥାନା ଅଧୀନ ବେନୁପୁରଠାରେ ଘଟିଥିବା ସୌମ୍ୟ ଭିଡ଼ ହତ୍ୟାକୁ ଦୁଇମାସ ବିତିଛି । ଘଟଣାରେ ୨୦ ଜଣରୁ ଉର୍ଦ୍ଧ୍ୱ ଗିରଫ ହୋଇଛନ୍ତି । ଏମିତିକି ମାମଲାରେ ତତ୍କାଳୀନ ଆଇଆଇସି ଦୟାଲ ଗଙ୍ଗୱାର ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ହେଲେ ଏବେବି ପୀଡ଼ିତଙ୍କ ପରିବାକୁ ନ୍ୟାୟ ମିଳିପାରିନି ।