ଆମେରିକା ବିଶ୍ୱକପ୍ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ
ଚଳିତ ୨୦୨୬ ଫିଫା ବିଶ୍ୱକପ୍ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି। ଯଦି ଆମେରିକା ପୁରୁଷ ଫୁଟବଲ ଦଳ ଚଳିତ ବିଶ୍ୱକପ ଟ୍ରଫି ହାସଲ କରେ, ତେବେ ସଂସ୍ଥା ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ ପଠାଯିବ ବୋଲି ନାସାର ପ୍ରଶାସକ ଜାରେଡ ଆଇଜାକ୍ମ୍ୟାନ ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।ବର୍ତ୍ତମାନ ନାସା ଚନ୍ଦ୍ରରେ ମାନବ ବସତି ବା ‘ଇନସାନୀ ବେସ୍’ ସ୍ଥାପନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚଲାଉଛି । ଏହି ଅଭିଯାନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଇଜାକମ୍ୟାନ୍ ଖେଳାଳିମାନଙ୍କୁ ଉତ୍ସାହିତ କରି କହିଥିଲେ, “ଟିମ୍ ୟୁଏସଏ, ଏବେ ଆପଣଙ୍କ ପାଳି, କାମ କରି ଦେଖାନ୍ତୁ ।” ସେ ମନେ ପକାଇ ଦେଇଥିଲେ ଯେ, ମହାକାଶ ଏବଂ ଖେଳର ସମ୍ପର୍କ ବହୁତ ପୁରୁଣା । ୧୯୭୧ ମସିହାର ଆପୋଲୋ-୧୪ ମିଶନ ସମୟରେ ମହାକାଶଚାରୀ ଆଲାନ ଶେପର୍ଡ ଚନ୍ଦ୍ରପୃଷ୍ଠରେ ଗଲ୍ଫ ଖେଳି ସାରା ବିଶ୍ୱକୁ ଚକିତ କରିଦେଇଥିଲେ । ଏବେ ନାସା ସେହି ରେକର୍ଡକୁ ଆହୁରି ଆଗକୁ ନେବାକୁ ଚାହୁଁଛି।ଆଲାନ ଶେପର୍ଡ ଥିଲେ ଆମେରିକାର ଜଣେ କିମ୍ବଦନ୍ତୀ ମହାକାଶଚାରୀ । ସେ ଚନ୍ଦ୍ରରେ ପାଦ ରଖିଥିବା ପଞ୍ଚମ ବ୍ୟକ୍ତି ଥିଲେ । ନିଜ ମିଶନ ଶେଷରେ ସେ ଲୁଚାଇ ରଖିଥିବା ଏକ ଛୋଟ ଗଲ୍ଫ କ୍ଲବ୍ ଏବଂ ଦୁଇଟି ଗଲ୍ଫ ବଲ୍ ବାହାର କରିଥିଲେ । ଚନ୍ଦ୍ରର କମ୍ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ସେ ମାରିଥିବା ଶଟ୍ ପୃଥିବୀ ତୁଳନାରେ ବହୁତ ଦୂରକୁ ଯାଇଥିଲା । ଏହି ଘଟଣା ମହାକାଶ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିଛି। ଫୁଟବଲର ଓଜନ ବହୁତ କମ୍ ହୋଇଥିବାରୁ ଏହାକୁ ଚନ୍ଦ୍ରକୁ ନେବାରେ କୌଣସି ବୈଷୟିକ ସମସ୍ୟା ହେବ ନାହିଁ। ତେବେ ଏହା ପୂର୍ବରୁ ଖେଳାଳିମାନଙ୍କୁ ପଡ଼ିଆରେ କଠିନ ପଥ ଅତିକ୍ରମ କରିବାକୁ ହେବ ବୋଲି ସେ ହସି ହସି କହିଛନ୍ତି।