ଲଘୁଚାପ ବର୍ଷାରେ ବେହାଲ ଭୁବନେଶ୍ୱର

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଅବିରତ ବର୍ଷୁଛି । ତୁହାକୁ ତୁହା ବର୍ଷା । ରାସ୍ତାରେ ଚାଲୁଛି ବର୍ଷା ପାଣି । ଜନଜୀବନ ଅସ୍ତବ୍ୟସ୍ତ । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଟ୍ୱିନ ସିଟିରେ ତୁହାକୁ ତୁହା ବର୍ଷା ଜାରି । ମୌସୁମୀ ବର୍ଷାରେ ବେହାଲ ରାଜଧାନୀ। ତିନି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଭିଜୁଛି ପୁରା ସହର। ଶୁକ୍ରବାର ଠୁ ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଭୁବନେଶ୍ବରରେ ଭୁଷୁଡିଛି ଡ୍ରେନେଜ ଭିତ୍ତିଭୂମି। ବିଶେଷକରି ତଳିଆ ଅଞ୍ଚଳ ଓ ଆପାର୍ଟମେଣ୍ଟରେ ପାଣି ପଶିଥିବା ବେଳେ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇ ପଡିଛି | ସେହିଭଳି ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର । ସେହିଭଳି ବାକି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।ବିଏମ୍‌ସି କମାଣ୍ଡ ଏଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟରରୁ ସହରର ସ୍ଥିତି ଉପରେ ଲଗାତାର ଲାଇଭ୍ ମନିଟରିଂ କରାଯାଉଛି । ଏଥିସହ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ୭ଟି ରାପିଡ୍ ଆକ୍ସନ ଟିମ୍‌କୁ ୨୪ ଘଣ୍ଟା ଆଲର୍ଟରେ ରଖାଯାଇଛି ।ସହରର ୧୭ଟି ସମ୍ବେଦନଶୀଳ ସ୍ଥାନରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା କରାଯାଇଛି । କୌଣସି ଅସୁବିଧା ହେଲେ ନାଗରିକମାନେ ବିଏମ୍‌ସିର ହେଲ୍ପଲାଇନ୍ ନମ୍ବର ୧୯୨୯ରେ ଯୋଗାଯୋଗ କରିପାରିବେ । ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁ ସ୍ଥାନରେ ପାଣି ଜମା ହେଉଛି ସେଠାରେ ବିଏମସି କର୍ମଚାରୀଙ୍କୁ ସହଯୋଗ କରନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ହେଲ୍ପଲାଇନ୍‌ର ସହାୟତା ନିଅନ୍ତୁ ।