ବାଲିଅନ୍ତା-ବାଲିପାଟଣା ହତ୍ୟାକାଣ୍ଡ ପରେ ଓଡ଼ଗାଁରେ ଯୁବକଙ୍କୁ ହାଣିଦେଲେ ଖଣି ମାଫିଆ
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଜଣେ ପୁଲିସ କର୍ମଚାରୀ ଏବଂ ବାଲିପାଟଣାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ରାଜ୍ୟବାସୀ ଭୁଲି ପାରି ନଥିବା ବେଳେ ଆଜି ନୟାଗଡ଼ରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ।
ଖବର ଅନୁଯାୟୀ, ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରି ଆସୁଥିଲେ ସ୍ଥାନୀୟ ଲୋକେ। ମାଙ୍କଡ଼ା ପଥର ବୋଝେଇ ଗାଡ଼ିକୁ ଅଟକାଇ ପିସିଆର୍କୁ ଖବର ଦେଇଥିଲେ। ଏହାକୁ ନେଇ ଖଣି ମାଫିଆ ଆକ୍ରମଣ କରିଥିଲେ । ଏଥିରେ ୨ ଜଣ ଖସି ପଳାଇଥିଲେ । କିନ୍ତୁ ମାଫିଆମାନେ କାବୁ କରିଥିବା ଯୁବକଙ୍କୁ ହାଣି ପକାଇଥିଲେ । ଏପିରିକି ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ, ବାମ ହାତ ସଂପୂର୍ଣ୍ଣ କାଟି ଦେଇଛନ୍ତି । ମୃତ ଯୁବକ ଜଣକ ହେଲେ ଶିଳ୍ପିନଗର ସାହିର ଅଜିତ୍ ସାହୁ ।ଆଜି ସକାଳୁ ହତ୍ୟା ଘଟଣା ଜାଣିବା ପରେ ପରିବାର ଲୋକ ଏବଂ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି। ମୃତଦେହ ରଖି ଲୋକେ ଅଭିଯୁକ୍ତଙ୍କୁ ଗିରଫ ଏବଂ କ୍ଷତିପୂରଣ ଦାବି କରିଛନ୍ତି। ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।