ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ଯାଇଥିବା ୩୨ ସହଯାତ୍ରୀଙ୍କ ପତ୍ତା ମିଳୁନି

ଯେଉଁ ଭିସା ରିଜେକ୍ସନ୍ ଦିନେ ଦୁଃଖ ଦେଇଥିଲା, ଆଜି ସେହି ଭିସା ରିଜେକ୍ସନ୍ ହିଁ ଜୀବନ ବଞ୍ଚାଇଦେଲା। କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ୍ ଭିସା ନମିଳିବାରୁ ନେପାଳ ଯାଇପାରିନଥିଲେ ପଶ୍ଚିମବଙ୍ଗର ୬୧ ବର୍ଷୀୟ ତପତୀ ସିଂହ। ଏବେ ତାଙ୍କ ସହ ଯାତ୍ରା କରିବାକୁ ଥିବା ୩୨ ଜଣଙ୍କ ପତ୍ତା ମିଳୁନାହିଁ।ଭିଜା ନାମଞ୍ଜୁର ହେବା ପରେ ମନଦୁଃଖରେ ସେ ଲଦାଖ ଭ୍ରମଣରେ ଚାଲିଯାଇଥିଲେ। ଗୁରୁବାର ସାରେ ଲଦାଖ ଗସ୍ତ କାଟଛାଣ୍ଟ କରି ଦିଲ୍ଲୀ ଦେଇ କୋଲକାତା ଫେରୁଥିବା ବେଳେ ପିଟିଆଇକୁ ସେ ନିଜର ଆଶ୍ଚର୍ଯ୍ୟଜନକ ଅନୁଭୂତି ବର୍ଣ୍ଣନା କରିଛନ୍ତି।
ତପତୀ କହିଛନ୍ତି, କୋଲକାତାସ୍ଥିତ ଏକ ଟ୍ରାଭେଲ ଏଜେନ୍ସି ଜରିଆରେ ଗତ ମେ ମାସରୁ ସେ ଏହି ୧୩ ଦିନିଆ କୈଳାସ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଦଳଗତ ବୈଠକ, କିଣାକିଣି ଏବଂ ଟ୍ରେକିଂ ତାଲିମ ସବୁଥିରେ ସେ ଭାଗ ନେଇଥିଲେ। ମାତ୍ର ଗସ୍ତର କିଛି ଦିନ ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ କାରଣ ନ ଦର୍ଶାଇ ତାଙ୍କ ଭିଜାକୁ ରଦ୍ଦ କରାଯାଇଥିବା ସୂଚନା ମିଳିଥିଲା। ସେହି ସମୟରେ ଏହି ଘଟଣା ତାଙ୍କୁ ଗଭୀର ଆଘାତ ଦେଇଥିଲେ ବି ଆଜି ସେ ନିଜକୁ ଭାଗ୍ୟବାନ ମନେକରୁଛନ୍ତି।ଏଜେନ୍ସି ପକ୍ଷରୁ ୪ ଜଣ ଅଧିକାରୀଙ୍କୁ ନେପାଳ ପଠାଯାଇଛି। ସେମାନଙ୍କଠାରୁ ସନ୍ଧ୍ୟା ସୁଦ୍ଧା କିଛି ସୂଚନା ମିଳିବ ବୋଲି ଆଶା ରହିଛି।