ମହିଳା IPS ଅଧିକାରୀଙ୍କ ସହ ଧସ୍ତାଧସ୍ତି ଘଟଣା ! କଟକ ନୟାସଡ଼କ ଅଞ୍ଚଳର ଚାରିଜଣ ଯୁବକ ଗିରଫ

କଟକ ନୟାସଡକ ଅଞ୍ଚଳରେ ବାଣ ଫୁଟାକୁ ନେଇ ପୋଲିସ ଓ ପବ୍ଲିକ ଗଣ୍ଡଗୋଳ ଘଟଣା ଏବେ ନୂଆ ମୋଡ଼ ନେଇଛି । ଏହି ମାମଲାରେ ଅଟକ ଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ରାତି ୯ଟା ପରେ ବି ଫୁଟାଇଲେ ବାଣ । ପୋଲିସ ବାରଣ କରିବାରୁ ହେଲା ଉତ୍ତେଜନା । ବାଣଫୁଟାକୁ ନେଇ କଟକ ନୟାସଡ଼କ ଅଞ୍ଚଳରେ ACP ଅନନ୍ୟା ଅୱସ୍ତି ବାରଣ କରିଥିଲେ । ମାତ୍ର ବାରଣ ସତ୍ତ୍ବେ ଯୁବକମାନେ ମାନିନଥିଲେ ଏବଂ ଜୋରଜବଦସ୍ତି ରାସ୍ତା ଉପରେ ବାଣ ଫୁଟାଇଥିଲେ । ଏହାପରେ ଅମାନିଆମାନଙ୍କୁ ଅଟକାଇଥିଲା ପୋଲିସ । ହେଲେ ପୋଲିସକୁ ଖାତିର କରି ନଥିଲେ ଯୁବକମାନେ । ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ ଟିମ ଓ ACPଙ୍କ ସହ ସ୍ଥାନୀୟ ଲୋକଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଲାଲବାଗ୍ ପୋଲିସ୍ ପ୍ରାଥମିକ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଜଣଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି ।ଅନ୍ୟପଟେ କଟକ ମାରୱାଡି ସମାଜ ପକ୍ଷରୁ କଟକ ଡିସିପିଙ୍କୁ ଭେଟି ଏହି ସମ୍ପର୍କରେ ଆଲୋଚନା କରାଯାଇଛି । ଅନେକ ବାହାରର ଅସାମାଜିକ ଲୋକ ଏଭଳି କାଣ୍ଡ ଭିଆଇଛନ୍ତି ଯାହାକୁ ଅତି ନିନ୍ଦନୀୟ କଥା ବୋଲି କହିଛନ୍ତି କଟକ ମାରୱାଡି ସମାଜର ସଭାପତି ସଞ୍ଜୟ ଶର୍ମା ।