ମା’ ପୁଅଙ୍କୁ ନିସ୍ତୁକ ମାଡ ଅଭିଯୋଗ; ତାଳଚୁଆ ସାମୁଦ୍ରିକ ଥାନା IIC ନିଲମ୍ବିତ
ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ଜଣେ ସଧବା ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଦେଇ ଆଖି ସାମ୍ନାରେ ଭେଣ୍ଡିଆ ପୁଅକୁ ‘ଥାର୍ଡଡିଗ୍ରୀ’ ଦେଇ ସମାଲୋଚନାର ସମ୍ମୁଖୀନ ହୋଇଥିବା ଥାନା ଅଧିକାରିଣୀଙ୍କୁ ବାଜିଛି ପୋଲିସ ମହାନିର୍ଦ୍ଦେଶକଙ୍କ ଛାଟ ।ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି ଅଧୀନରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନରେ ରହିବେ ।କାର୍ଯ୍ୟରେ ଚରମ ଅବହେଳା ଓ ଅସଦାଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ତେବେ ଆଇଆଇସିଙ୍କ ବିରୋଧରେ ମା’, ପୁଅଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।ପାରିବାରିକ କଳହ ଯୋଗୁଁ ତାଳଚୁଆ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଅଭିଯୋଗ ଦେବା ପାଇଁ ଯାଇଥିଲେ ତାଳଚୁଆ ସାମୁଦ୍ରିକ ଥାନାକୁ । ସେଠାରେ ସାମୁଦ୍ରିକ ଥାନା ଅଧିକାରିଣୀଙ୍କୁ ଅଭିଯୋଗ ଦେବା କ୍ଷଣି ମ୍ୟାଡ଼ାମ ସନ୍ଧ୍ୟାରାଣୀ କାହିଁକି କେଜାଣି ରାଗିଗଲେ, ଆଉ ଗ୍ରହଣ କଲେ ନାହିଁ ଅଭିଯୋଗ ପତ୍ର ।
ଓଲଟା ଖରାପ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିବା ସହ ଅନ୍ନପୂର୍ଣ୍ଣାଙ୍କ ଚୁଟିକୁ ଘୋଷାରି ମାଡ଼ ମାରିବା ସହ ଅର୍ଦ୍ଧଉଲଗ୍ନ କରି ପରେ ମଥାରୁ ସିନ୍ଦୂର ଲିଭାଇ ଦେଇଥିଲେ ଥାନା ଅଧିକାରିଣୀ । ମାଆକୁ ମାଡ ମାରିବା ସହ ପାଇଖାନା ଭିତରେ ପୁରାଇ ପୁଅକୁ ମାଡ ମାରିଥିଲା ପୋଲିସ । ଘଟଣାକୁ ନେଇ କେନ୍ଦ୍ରାପଡା ଏସପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ପରେ ତଦନ୍ତ ଆଧାରରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ ପେଣ୍ଡ କରିଛନ୍ତି ଡିଜିପି ।