ଲଘୁଚାପ ଆଶଙ୍କା ନାହିଁ, ଆଜି ଏହିସବୁ ଜିଲ୍ଲାରେ ବର୍ଷା

ଲଘୁଚାପର କୌଣସି ସମ୍ଭାବନା ନାହିଁ। ପାର୍ବଣ ଭିତରେ ଏହି ଖବର ପୂଜା ବଜାରକୁ ବଡ଼ ଆଶ୍ୱସ୍ତି ଦେଇଛି।ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଅକ୍ଟୋବର ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଥିଲା । ତେବେ ଆଣ୍ଡାମାନ ସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଆଉ ସକ୍ରିୟ ନଥିବାରୁ ସେହି ଆଶଙ୍କା କମିଥିବା ସୂଚନା ମିଳିଛି । କିନ୍ତୁ ଲଘୁଚାପ ଆଶଙ୍କା କମିଥିଲେ ମଧ୍ୟ ରାଜ୍ୟରେ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ । ପୂର୍ବାଳି ବାୟୁ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିଛି । ବିଶେଷକରି ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଝିପିଝିପି ବର୍ଷା ହେଉଛି ।ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ର ଅଳ୍ପ କେତେକ ସ୍ଥାନ ସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା କିଛି କିଛି ଜାଗାରେ ରହିପାରେ। ମାତ୍ର ବଡ଼ ଧରଣର ବର୍ଷା ସମ୍ଭାବନା କମ୍।