ରଥଯାତ୍ରାରେ ବ୍ୟବହୃତ ୩ ରଥର ଚକ କିଣିବା ଆବେଦନ ସମୟ ୨୨ ଯାଏ ବୃଦ୍ଧି

ରଥଯାତ୍ରାରେ ବ୍ୟବହୃତ ୩ ରଥର ଚକ, ପ୍ରଭା, ଗୁଜ ଓ ଅଂଶୁଆରୀ ପ୍ରଭୃତି ରଥ ଅଂଶ ନେବା ନିମନ୍ତେ ଆବେଦନ କରିବାର ସମୟ ସୀମା ବୃଦ୍ଧି କରିଛି ଶ୍ରୀମନ୍ଦିର ପ୍ରଶାସନ ।ଚଳିତ ମାସ ୨୨ ତାରିଖକୁ ଏହି ଅବଧି ବୃଦ୍ଧି କରାଯାଇଛି । ଏସ୍‌ଓପି ବା ମାର୍ଗଦର୍ଶିକା ମୁତାବକ ଏହି ଆବେଦନପତ୍ର ବିଚାର ପ୍ରକ୍ରିୟା କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି । ଶ୍ରୀମନ୍ଦିର ପ୍ରଶାସନ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜର ଚକ ପ୍ରତି ମୂଲ୍ୟ ୩ ଲକ୍ଷ ଟଙ୍କା, ସୁଭଦ୍ରାଙ୍କ ଦର୍ପଦଳନ ଚକ ପ୍ରତି ମୂଲ୍ୟ ୨ ଲକ୍ଷ ଟଙ୍କା ଓ ଶ୍ରୀଜଗନ୍ନାଥଙ୍କ ରଥର ପ୍ରତି ଚକର ମୂଲ୍ୟ ୪ ଲକ୍ଷ ଟଙ୍କା ରଖିଛି । ଯେତେବେଳେ କି ପ୍ରତି ରଥର ଗୁଜ ଓ ଅଂଶୁଆରୀ ମୂଲ୍ୟ ୨୦ ହଜାର ଲେଖାଏଁ, ପ୍ରଭା ମୂଲ୍ୟ ୫୦ ହଜାର ଲେଖାଏଁ ରଖାଯାଇଛି । ଯେକେହି ୩ଟି ରଥର ଗୋଟାଏ ଲେଖାଏଁ ଚକ ନେଲେ ୯ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ଦର ଘୋଷଣା କରିଛି । ହଜାରେ ଟଙ୍କା ସହ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଦେଲେ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାର କରି ପଦକ୍ଷେପ ନେବ । ରଥଗୁଡ଼ିକର ଏହି ଅଂଶ ବିକ୍ରି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ୩ ଥର ସମୟ ବୃଦ୍ଧି କରିସାରିଲାଣି ।