ଦେଶରେ ବେଲଗାମ୍ ଦରବୃଦ୍ଧି, ମହଙ୍ଗା ବଜାର ଭାବେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡିଶା

ଦରଦାମ୍ ଚାପରେ ଅଣନିଃଶ୍ଵାସୀ ଖାଉଟି।ଏବେ ଦେଶର ଦ୍ଵିତୀୟ ମହଙ୍ଗା ବଜାର ହେଉଛି ଓଡିଶା । ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫିତି ୬% ପାର୍ କରି ୬.୭୦% ଛୁଇଁଛି। ଏହା ଜାତୀୟ ହାରାହାରି ୫.୫୪% ତୁଳନାରେ ୧.୧୬% ଅଧିକ।ଅଗଷ୍ଟ ମାସରେ ଏହା ୪.୮୩ ପ୍ରତିଶତ ରହିଥିଲା। ଅର୍ଥାତ୍ ମାତ୍ର ଗୋଟିଏ ମାସରେ ମୁଦ୍ରାସ୍ଫୀତି ହାର ୦.୭୧ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଛି।ବିଶେଷକରି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ମୁଦ୍ରାସ୍ଫୀତିକୁ ଆହୁରି ବଢ଼ାଇଦେଇଛି। ଅଗଷ୍ଟରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ୫.୯୭ ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ଏହା ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ପିଆଜ, ଅଦା, ରସୁଣ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ୁଛି। ରାଜ୍ୟ ସ୍ତରରେ ତାମିଲନାଡୁରେ ମୁଦ୍ରାସ୍ଫିତି ହାର ସବୁଠୁ ଅଧିକ ୬.୮୧% ରହିଛି। ୬.୭୦% ସହିତ ଓଡ଼ିଶା ଦ୍ଵିତୀୟ ସ୍ଥାନରେ, ୬.୬୮% ସହିତ ମଧ୍ୟ ପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ତେଲଙ୍ଗାନାରେ ଏହା ୬.୬୪% ଏବଂ ଆନ୍ଧ୍ରପ୍ରଦେଶରେ ୬.୨୯% ରହିଛି।ଦେଶରେ ଲଗାତାର ଚତୁର୍ଥ ମାସ ପାଇଁ ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ ପ୍ରତିଶତ ଲକ୍ଷ୍ୟଠାରୁ ଅଧିକ ରହିଛି। ତେବେ ଏହା ଏବେ ବି ୬ ପ୍ରତିଶତର ସର୍ବୋଚ୍ଚ ସହନଶୀଳ ସୀମା ଭିତରେ ରହିଛି। ଦରବୃଦ୍ଧିର ଏଭଳି ସ୍ଥିତି ମଧ୍ୟବିତ୍ତ ଓ ନିମ୍ନ ଆୟବର୍ଗର ପରିବାର ପାଇଁ ଚିନ୍ତା ବଢ଼ାଇଛି। ଆଗାମୀ ଦିନରେ ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।