ହସ୍ପିଟାଲରେ ଲାଗିବ ରେଟ୍ ଚାର୍ଟ, ଚିକିତ୍ସା ବିଲ୍କୁ ନେଇ ଦ୍ୱନ୍ଦ୍ୱ ଓ ବିବାଦ କମିବ
ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ ପ୍ରଦର୍ଶନ କରାଯିବାକୁ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାରଙ୍କ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ | ଏନେଇ ଅକ୍ଟୋବର ୧୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ବିଭିନ୍ନ ରାଜ୍ୟର ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।ଚିକିତ୍ସା ଖର୍ଚ୍ଚ ସମ୍ପର୍କରେ ସ୍ୱଚ୍ଛତା ରହିଲେ ରୋଗୀମାନେ ନିଜ ଆର୍ଥିକ ସାମର୍ଥ୍ୟ ଅନୁଯାୟୀ ଉପଯୁକ୍ତ ଚିକିତ୍ସା ସେବା ବାଛିପାରିବେ। ଏହାଦ୍ୱାରା ଚିକିତ୍ସା ବିଲ୍କୁ ନେଇ ଦ୍ୱନ୍ଦ୍ୱ ଓ ବିବାଦ ମଧ୍ୟ କମିବ। କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟସ୍ ଆକ୍ଟ, ୨୦୧୦ ଏବଂ ୨୦୧୨ ମସିହାର ନିୟମ ଅନୁଯାୟୀ, ଆଇନ ପରିସରଭୁକ୍ତ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକ ପାଇଁ ନିଜର ସେବା ଓ ସୁବିଧାର ଦର ତାଲିକା ପ୍ରଦର୍ଶନ କରିବାର ବ୍ୟବସ୍ଥା ରହିଛି। ଏହି ତାଲିକାକୁ ରୋଗୀମାନେ ସହଜରେ ଦେଖିପାରୁଥିବା ସ୍ଥାନରେ ଇଂରାଜୀ ସହ ସ୍ଥାନୀୟ ଭାଷାରେ ପ୍ରଦର୍ଶନ କରାଯିବା ଆବଶ୍ୟକ।ଏଥିସହିତ ବିଦେଶୀ ରୋଗୀ ଯେଉଁମାନେ ମେଡିକାଲ ଓ ଆୟୁଷ ଭିଜାରେ ଭାରତ ଆସୁଛନ୍ତି, ସେମାନଙ୍କ ପାଇଁ ପ୍ୟାକେଜ ମୂଲ୍ୟର ସ୍ବଚ୍ଛ ପ୍ରଦର୍ଶନକୁ ସହଜ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏହାଦ୍ୱାରା ଉକ୍ତ ଅନ୍ତର୍ଜାତୀୟ ରୋଗୀମାନେ ସୂଚନାଭିତ୍ତିକ ନିଷ୍ପତ୍ତି ନେଇପାରିବେ ଏବଂ ମୂଲ୍ୟ ଏବଂ ବିଲିଂ ସମ୍ବନ୍ଧୀୟ ଅଭିଯୋଗକୁ ଏହା ହ୍ରାସ କରିବା ସହ ଚିକିତ୍ସା ଓ ଆୟୁଷ ଯତ୍ନ ପାଇଁ ଏକ ବିଶ୍ୱସନୀୟ ସ୍ଥାନ ଭାବେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀବାସ୍ତବ କହିଛନ୍ତି।ଯେଉଁ ରାଜ୍ୟରେ କେନ୍ଦ୍ରୀୟ ଆଇନ ଲାଗୁ ହୋଇନାହିଁ, ସେଠାରେ ରାଜ୍ୟର ନିଜସ୍ୱ ନିୟମ ଅନୁଯାୟୀ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାରୁ ଏହାର ତଦାରଖ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ରହିବ।