ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
୬ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି ଓ ଅଦଳବଦଳ । ବଦଳିଲେ ଓଡିଶାର ରାଜ୍ୟପାଳ । ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଏନେଇ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟୀଙ୍କ ସ୍ଥାନ ନେବେ। ବ୍ରଜ ମୋହନ ରାମଙ୍କ ନିଯୁକ୍ତି ସହିତ ଓଡ଼ିଶାର ରାଜ୍ୟପାଳ ପଦରେ ପରିବର୍ତ୍ତନ ହୋଇଛି। ତେବେ ସେ କେବେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ।
ସୂଚନା ଅନୁଯାୟୀ, ସିକ୍କିମର ବର୍ତ୍ତମାନ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ସେହିପରି ଡକ୍ଟର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଧଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ରହିଛି ।ବ୍ରଜ ମୋହନ ରାମ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ଏବଂ ପୂର୍ବତନ ଲୋକସଭା ସାଂସଦ । ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।