କେରଳରେ ମିନି କୁପର୍ ଧକ୍କାରେ ୩ ମୃତ,ମୋ ବାପା ସବୁ ସମ୍ଭାଳି ନେବେ କହିଲେ ଡ୍ରାଇଭର

କେରଳରେ ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କା ଦେଲା ମିନି କୁପର୍ । ଆଉ ଏହି ଦୁର୍ଘଟଣାରେ ଚାଲିଗଲା ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ଅଛନ୍ତି ।। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କୋଚି ବିମାନବନ୍ଦର ନିକଟରେ ଏକ ସ୍କୁଟରରେ ଯାଉଥିବା ୩ ଜଣ ଛାତ୍ରଙ୍କୁ ମିନି କୁପର୍ କାର୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ୧୯ ବର୍ଷୀୟ ଯୁବକ ଜଣକ ଦୁର୍ଘଟଣାର ଘଟାଇଥିବାବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏହି ଦୁର୍ଘଟଣା ପରେ କାର୍ ଚାଳକ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶ୍ନ କରିବାରୁ, ‘ମୋ ବାପା ସବୁ ସମ୍ଭାଳି ନେବେ’ ବୋଲି ସେ କହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ, ମଦ୍ୟପାନ କରି ଗାଡ଼ି ଚଳାଇଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ତିନି ଜଣ ଛାତ୍ରଛାତ୍ରୀ ନିକଟସ୍ଥ ଏକ ଦୋକାନରେ ଚା’ ପିଇ ଘରକୁ ଫେରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ମିନି କୁପର୍ ସେମାନଙ୍କ ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ସ୍କୁଟିରେ ଥିବା ତିନି ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍ ନେଇଥିଲେ । କିନ୍ତୁ ଚିକିତ୍ସା ପୂର୍ବରୁ କିମ୍ବା ଚିକିତ୍ସା ସମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ମୃତକମାନେ ହେଲେ ଓ୍ୱାୟନାଡର ଦେବିକା, ପାଲକ୍କାଡର ଗୋପିକା ଏବଂ କର୍ଣ୍ଣାଟକର ଇଜାଜ୍ । ସେମାନେ ତ୍ରିକ୍କାକରା ଅଞ୍ଚଳରେ ମଧ୍ୟ କାମ କରୁଥିଲେ ।ଅନ୍ୟପଟେ, ମୃତକଙ୍କ କିଛି ବନ୍ଧୁ ହସ୍ପିଟାଲ୍‌ରେ ଅଭିଯୁକ୍ତ ସୁହେଲ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ମେଡିକାଲ୍ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ କିଛି ଲୋକ ତାଙ୍କୁ ଘେରିଯାଇଥିଲେ । ପରେ ହସ୍ପିଟାଲ୍‌ରୁ ବାହାରକୁ ନିଆଯାଉଥିବା ସମୟରେ ପଛପଟୁ ମୁଣ୍ଡରେ ଆଘାତ କରିଥିବା ପୋଲିସ କହିଛି । ପୋଲିସ ହସ୍ତକ୍ଷେପ କରି ଆକ୍ରମଣ ରୋକିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ।