ଜ୍ଞାନେଶ କୁମାରଙ୍କ ପାଖରେ ଏବେ ରାଜସାକ୍ଷୀ ହେବା ଛଡ଼ା ଆଉ କୌଣସି ରାସ୍ତା ନାହିଁ – ରାହୁଲ
ରାହୁଲ ଗାନ୍ଧୀଙ୍କୁ କାଉଣ୍ଟର କଲେ ସାଂସଦ ଅନୁରାଗ ଠାକୁର । ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ନେଇ ଟାର୍ଗେଟ କଲେ । ରାହୁଲଙ୍କୁ ହାୱା ହାୱାଇ ନେତା କହି ସମାଲୋଚନା କଲେ । ବାରମ୍ବାର କୋର୍ଟରେ କ୍ଷମା ସତ୍ତ୍ୱେ କିଛି ଶିଖିଲେ ନାହିଁ । ଜରୁରୀ ପରିସ୍ଥିତି ବେଳେ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଥିଲା । ପୁଲିଂ ବୁଥ କବଜା କରି କଂଗ୍ରେସ ଜିତିବାର ନଜିର ରହିଛି । ଯଦି ଆରୋପ ଲଗାଉଛନ୍ତି , ତାହାଲେ ପ୍ରମାଣ ଦେବାକୁ ପଡିବ । ଗଣତନ୍ତ୍ରରେ ପ୍ରତିବାଦ ଅଧିକାର ରହିଛି , ଜନାଦେଶକୁ ଅସମ୍ମାନ ନ କରନ୍ତୁ । ଅନ୍ୟପଟେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ପୁଣି ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜ୍ଞାନେଶ କୁମାରଙ୍କ ପାଖରେ ଏବେ ରାଜସାକ୍ଷୀ ହେବା ଛଡ଼ା ଆଉ କୌଣସି ରାସ୍ତା ନାହିଁ ବୋଲି କହିଛନ୍ତି ରାହୁଲ । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଆୟୋଜିତ ପଦଯାତ୍ରା ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ସାମ୍ବାଦିକମାନେ ରାହୁଲଙ୍କୁ ପ୍ରଶ୍ନ କରିଥିଲେ, ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାଙ୍କୁ କୌଣସି ବାର୍ତ୍ତା ମିଳିଛି କି? ଏହାର ଉତ୍ତରରେ ରାହୁଲ କହିଥିଲେ, ତାଙ୍କ ପାଖକୁ ବାର୍ତ୍ତା ଆସୁଛି ଏବଂ ଜ୍ଞାନେଶ କୁମାର ଏହି ସାମ୍ବାଦିକ ସମ୍ମିଳନୀ ମଧ୍ୟ ଦେଖୁଛନ୍ତି । ରାହୁଲ କହିଛନ୍ତି, ଜ୍ଞାନେଶ କୁମାରଙ୍କୁ ସେ ପୂର୍ବରୁ ରାଜସାକ୍ଷୀ ହେବାକୁ ପରାମର୍ଶ ଦେଇଥିଲେ । ସେ ଭୁଲ୍ କରିଛନ୍ତି, କିନ୍ତୁ ଏହି ଭୁଲ୍ ପଛରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନୁହନ୍ତି ବୋଲି ରାହୁଲ ଦାବି କରିଛନ୍ତି । ତେବେ କେଉଁ ମାଧ୍ୟମରେ ବାର୍ତ୍ତା ମିଳିଛି, ସେନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି ।