କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? 

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ସୋମବାର, ଅକ୍ଟୋବର ୧୨ ରେ ଦେଶର ପ୍ରଧାନ ବିଚାରପତି (CJI) ଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ବିରୋଧୀ ଦଳର ନେତାମାନେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟ ଚୋରି ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଥିଲେ, କିନ୍ତୁ ପ୍ରଧାନ ବିଚାରପତି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଥିଲେ। ପ୍ରଧାନ ପିଚାରପତିଙ୍କ କାର୍ଯ୍ୟାଳୟରୁ ଏହି ନେତାମାନଙ୍କୁ ପଠାଯାଇଥିବା ଏକ ଇ-ମେଲ୍ ଜରିଆରେ କୁହାଯାଇଛି ଯେ, ଏହି ମାମଲାଟି ଯେହେତୁ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି, ତେଣୁ ବିରୋଧୀ ନେତାମାନଙ୍କ ସହ ଏହି ପ୍ରସଙ୍ଗରେ ସାକ୍ଷାତ ଆଲୋଚନା ଆଇନତଃ ସମ୍ଭବନୁହେଁ । ଉଲ୍ଲେଖଯୋଗ୍ୟ ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ସୋମବାର ସାକ୍ଷାତ ପାଇଁ ଅନୁମତି ମାଗିଥିଲେ ।