ହୀରାକୁଦର ଆଉ ୩ଟି ଗେଟ୍ ଖୋଲିଲା, ମୋଟ୍ ୧୦ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ହୀରାକୁଦରେ ଉପରମୁଣ୍ଡରେ ଜାରି ରହିଛି ବର୍ଷା। ଜଳଭଣ୍ଡାରରେ ଜଳ ପ୍ରବେଶ ବଢ଼ିବା ପରେ ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି । ଯେଉଁଥିରୁ ବାମପାର୍ଶ୍ୱର ୭ଟି ଓ ଡାହାଣପାର୍ଶ୍ୱର ୩ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ୧ହଜାର ୭୧୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୪୪ହଜାର ୫୦୯ ହଜାର କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି ।। ଜଳଭଣ୍ଡାରରେ ଜଳ ପ୍ରବେଶ ଓ ନିଷ୍କାସନ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା ବେଳେ ଆଗାମୀ ସ୍ଥିତିକୁ ଦେଖି ଗେଟ୍ ସଂଖ୍ୟା ବଢ଼ାଇବା କିମ୍ବା କମାଇବା ନେଇ ନିଷ୍ପତ୍ତି ନିଆଯିବ।ସେହିପରି ଗତକାଲି ରେଙ୍ଗାଲି ଡ୍ୟାମର ୩ ଗେଟ୍ ଦେଇ ବନ୍ୟା ଜଳ ଛାଡିଥିଲା ରେଙ୍ଗାଲି ଡ୍ୟାମ । ରେଙ୍ଗାଳି ଡ୍ୟାମର ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ବର୍ତ୍ତମାନ ଗଚ୍ଛିତ ଜଳରାଶି ୧୨୩.୨୪ ମିଟର ରହିଥିଲା । ଡ୍ୟାମକୁ ସେକେଣ୍ଡ ପିଛା ୫ହଜାର ୧୭୭ ଘନମିଟର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ତିନୋଟି ଗେଟ୍ ଏବଂ ପାୱାର ଚାନେଲ ଦେଇ ସେକେଣ୍ଡ ପିଛା ୫ହଜାର ୪୭୩ ଘନମିଟର ବନ୍ୟାଜଳ ନିଷ୍କାସନ ହେଉଥିଲା ।